ବାତ୍ୟାକୁ ନେଇ ବଡ ଖବର: ରାଜ୍ୟରେ ୫ ଜିଲ୍ଲାରେ ଅଧିକ ପଡ଼ିବ ‘ଅମ୍ଫାନ’ର ପ୍ରଭାବ; ଓଡ଼ିଶାର ଧାମରା, ଚାନ୍ଦବାଲି ପାଖ ଦେଇ କରିବ ଅତିକ୍ରମ; ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା

1,117

କନକ ବ୍ୟୁରୋ: ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଲା ସାମୁଦ୍ରିକ ଝଡ ଅମ୍ଫାନ । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ତେବେ ଅମ୍ଫାନକୁ ନେଇ ଆଗାମୀ ୧୨ ଘଂଟା ବେଶ୍ ଗୁରୁତ୍ୱ ପୂର୍ଣ୍ଣ । କାରଣ ଅମ୍ଫାନ୍ ଏହି ସମୟରେ ଅଧିକ ଶକ୍ତିଶାଳୀ ହୋଇ ସମୁଦ୍ର ମଧ୍ୟରେ ଆଗେଇବ । ସ୍ଥଳ ଭାଗକୁ ଛୁଇଁଲା ବେଳକୁ ନେବ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ । ପୂର୍ବାନୁମାନ ଅନୁସାରେ ଆସନ୍ତା ୬ ଘଂଟା ମଧ୍ୟରେ ଏହା ଏକ୍ସଟ୍ରିମଲି ସିିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ସମୁଦ୍ର ଭିତରେ ଏବେ ଘଂଟାକୁ ୮ କିଲୋମିଟର ବେଗରେ ଉତର, ଉତର- ପୂର୍ବ ମୁହାଁ ହୋଇ ମାଡି ଆସୁଛି ।

ପୂର୍ବାନୁମାନ ଅନୁଯାୟୀ ଏହା ଆସନ୍ତା ୧୨ ଘଂଟା ପର୍ଯ୍ୟନ୍ତ ଉତର ଦିଗରେ ଗତି କରିବ । ତାପରେ ଉତର-ଉତର ପୂର୍ବକୁ ଦିଗ ବଦଳାଇ ଉତର ପଶ୍ଚିମ ବଙ୍ଗୋପସାଗର ଉପରେ ଅତି ତୀବ୍ର ବେଗରେ ଗତି କରିବ । ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ମଧ୍ୟରେ ପଶ୍ଚିମବଙ୍ଗର ଦୀଘା ଉପକୂଳ ଓ ବାଂଲାଦେଶର ହାତିଆ ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବା ସ୍ଥଳଭାଗ ଛୁଇଁବ । ଏହି ଭୀଷଣ ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ମଧ୍ୟ ଶକ୍ତିଶାଳୀ ରହିଥିବ । ଯାହା କି ଚିନ୍ତାର କାରଣ ହୋଇଛି । କାରଣ ସ୍ଥଳ ଭାଗ ଛୁଇଁଲା ବେଳକୁ ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୪୫ରୁ ୧୫୫ କିମି ରହିବ ।

ସର୍ବାଧିକ ୧୭୦ କିଲୋମିଟର ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସ୍ଥଳ ଭାଗ ଛୁଇଁଲା ବେଳକୁ ଓଡିଶାର ଗଂଜାମ, ପୁରୀ, ଖୋର୍ଧା ଉପକୂଳରେ ପବନର ବେଗ ପ୍ରାୟ ୭୫ କିମି ରହିଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅମ୍ଫାନ ପ୍ରଭାବରେ ରାଜ୍ୟର ୫ ଜିଲ୍ଲା ଉପରେ ପଡିବ ପ୍ରଭାବ । କେନ୍ଦ୍ରାପଡା, ଜଗତସିଂହପୁର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଆଜି ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସୂଚନା ଦେଇଚି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ ।