ଆଜିଠୁ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ଆସନ୍ତା ୧୩ରେ ସୃଷ୍ଟି ହୋଇପାରେ ଲଘୁଚାପ , ପ୍ରଭାବରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

742

କନକ ବ୍ୟୁରୋ : ଆଜିଠୁ ବର୍ଷାରେ ଭିଜିବ ରାଜ୍ୟର ବିଭିନ୍ନ ଅଂଚଳ । ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ।  ଆସନ୍ତା ୧୩ ତାରିଖରେ ପଶ୍ଚିମ ବଙ୍ଗୋପସାଗରର ଆନ୍ଧ୍ରପ୍ରଦେଶ ଉପକୂଳ ଅଂଚଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ଶୁକ୍ରବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଏନେଇ ୨୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଗଜପତି, ଗଂଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଦେବଗଡ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି କୁହାଯାଇଛି । ଅନ୍ୟପଟେ ବିଶେଷକରି ୫ଟି ଜିଲ୍ଲା କଳାହାଣ୍ଡି, ବଲାଙ୍ଗୀର, ସୋନପୁର, କନ୍ଧମାଳ ଓ ସମ୍ବଲପୁରରେ ଆସନ୍ତା ୨୪ ଘଂଟା ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଲଘୁଚାପର ପ୍ରଭାବରେ ସେପ୍ଟେମ୍ବର ୧୨ତାରିଖରେ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଆଦି ୧୨ଟି ଜିଲ୍ଲାରେ ଭୀଷଣ ବର୍ଷାର ସମ୍ଭାବନା ରହିଛି । ସେହିପରି ସେପ୍ଟେମ୍ବର ୧୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ଭୀଷଣ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।