Weather Update Photograph: (Kanak News)
କନକ ବ୍ୟୁରୋ: ରାଜଧାନୀରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଗତ ୧୦ ଦିନରେ ୯.୬ ଡିଗ୍ରୀ ତଳକୁ ଖସିଛି ରାତିର ତାପମାତ୍ରା । ଆଜି ଭୋର ୫ଟା ୩୦ରେ ୧୩ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି । ଡିସେମ୍ୱର ୧ରେ ୨୨.୬ ଡିଗ୍ରୀ ସେଲିସୟସ ରେକର୍ଡ କରାଯାଇଥିଲା । ସେହିପରି ଡିସେମ୍ୱର ୨ ତାରିଖରେ ୨୧ ଡିଗ୍ରୀ, ୩ ତାରିଖରେ ୧୭.୨ ଡିଗ୍ରୀ, ୪ ତାରିଖରେ ୧୭ ଡିଗ୍ରୀ, ୫ ତାରିଖରେ ୧୫ ଡିଗ୍ରୀ, ୬ ତାରିଖରେ ୧୪.୪ ଡିଗ୍ରୀ ରେକର୍ଡ ହୋଇଛି । ଡିସେମ୍ୱର ୭ ତାରିଖରେ ୧୩.୪ ଡିଗ୍ରୀ , ଡିସେମ୍ୱର ୮ରେ ୧୩.୬ ଡିଗ୍ରୀ, ଡିସେମ୍ୱର ୯ ତାରିଖରେ ୧୫ ଡିଗ୍ରୀ ଓ ୧୧ ତାରିଖ ଅର୍ଥାତ୍ ଆଜି ୧୩ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।
ପୁଣି ଖସିଲା ପାରଦ। ଶୀତର ପ୍ରକୋପରେ ଲୋକେ କଲବଲ । ଗ୍ରାମାଞ୍ଚଳରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଏକ ମାତ୍ର ଭରସା ପାଲଟିଛି ସଧାରଣ ଲୋକଙ୍କର । କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୦ ଡିଗ୍ରୀକୁ ଖସିଛି । ତା ପଛକୁ ଫୁଲବାଣୀ ୬.୫ ଡିଗ୍ରୀ, ବାଲିଗୁଡ଼ା ୮.୦ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ରାଇକିଆ, ଫିରିଙ୍ଗିଆ ଓ କ. ନୂଆଗାଁରେ ପାରଦ ତଳମୁଁହା ହେବା ସହ ଜାଡ଼ରେ ଜଡସଡ ସାରାଅଞ୍ଚଳ । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ର ୧୦ ଡିଗ୍ରୀ ତଳେ ରହୁଛି । ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଆରମ୍ଭ ହୋଇଯାଉଛି । ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ । ସଞ୍ଜ ନଇଁଲେ ସହର ରାସ୍ତା ଘାଟ ଜନଶୁନ୍ୟ ହୋଇଯାଉଛି। ଚା ଦୋକାନ ନିକଟରେ ଚା ଖଟି ବ୍ୟବସାୟ ବଢ଼ାଇବା ପାଇଁ ଦୋକାନୀ ମାନେ କାଠ ଗଣ୍ଡି ଆଣି ନିଆଁ ଲଗାଇ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ।
କୋରାପୁଟରେ ତୁଷାରପାତ, ପ୍ରବଳ ଜାଡ଼ରେ ଥରୁଛି ଓଡ଼ିଶା
ସେହିପରି ଯଦି ଗତକାଲିର ରିପୋର୍ଟ ଉପରେ ନଜର ପକାଇବା ତେବେ, ଗତକାଲି କୋରାପୁଟରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଥିଲା । କୋରାପୁଟ ରାଜୁଗୁଡାରେ ଧାନ ଖଳାରେ ତୁଷାର ପାତ ହୋଇଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଜାଡ ସାଙ୍ଗକୁ ଘନ କୁହୁଡି କଲବଲ କରୁଥିବା ବେଳେ ତୁଷାରପାତ ମଧ୍ୟ କୋରାପୁଟରେ ଆରମ୍ଭ ହୋଇଯାଇଛି । ଗତକାଲି ରାଜୁଗୁଡାରେ ୫ ଡିଗ୍ରିକୁ ପାରଦ ଖସିଆସିଥିଲା । ସେପଟେ ଶିମିଳିପାଳରେ ବି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏକ ସପ୍ତାହ ଧରି ଶିମିଳିପାଳର ତାପମାତ୍ରା ୫ ଡିଗ୍ରି ତଳେ ରହୁଥିବା ବେଳେ ଆଖ ପାଖ ଅଞ୍ଚଳରେ ୧୦ ରୁ ୧୨ ଡିଗ୍ରୀ ତାପମାତ୍ରା ରହି ଆସୁଛି । ଗତକାଲି ଆପାର-ବାରହାକାମୁଡ଼ାରେ ତାପମାତ୍ରା ୪ ଡିଗ୍ରି, ଚହଲାରେ ୬, ଗୁଡୁଗୁଡ଼ିଆରେ ୭, ବରେହିପାଣିରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । କନ୍ଧମାଳରେ ବି ପ୍ରବଳ ଶୀତ ଅନୁଭୂତ ହେଉଛି । ଦାରିଙ୍ଗିବାଡ଼ି, ଜି.ଉଦୟଗିରି, ବାଲିଗୁଡ଼ା ଆଦି ସ୍ଥାନରେ ୫ ଡିଗ୍ରି ତଳେ ତାପମାତ୍ରା ଅନୁଭୂତ ହେଉଛି ।
Follow Us