ଆଗକୁ ଜାଡ଼ ! ଆସନ୍ତା ୫ ଦିନ ଖସିବ ରାତିର ତାପମାତ୍ରା; ପାଗ ଶୁଖିଲା ରହିବା ସହ ସାରା ରାଜ୍ୟରେ ଅନୁଭୂତ ହେବ ଶୀତ

ପାଣିପାଗ କେନ୍ଦ୍ର ଦେଲା ସୂଚନା

1,111

କନକ ବ୍ୟୁରୋ: ଆଗକୁ ଆହୁରି ବଢିବ ଶୀତ । ଆସନ୍ତା ପାଂଚ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଅଧିକ ଶୀତ ଅନୁଭୁତ ହେବ । ଏଥିସହ ପାଂଚ ଦିନ ପର୍ଯ୍ୟନ୍ତ ପାଗ ଶୁଣିଲା ରହିବା ସହ ତାପମାତ୍ରାରେ ହ୍ରାସ ପାଇବ ବୋଲି ପୁର୍ବାନୁମାନ କରିଛି ଭୁବନେଶ୍ୱରର ଆଂଚଳିକ ପାଣିପାଗ କେନ୍ଦ୍ର । ତାପମାତ୍ରାରେ ହ୍ରାସ ଘଟୁଥିବାରୁ ରାତିରେ ଅଧିକ ଶୀତ ଅନୁଭୂତ ହେବ ବୋଲି କହିଛନ୍ତି ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର । ସେହିପରି ରାଜ୍ୟର ସୁନ୍ଦରଗଡ ଜିଲ୍ଲାରେ ସବୁଠାରୁ ଅଧିକ ଶୀତ ଅନୁଭୁତ ହେଉଥିବା ଜିଲ୍ଲା ରେକର୍ଡ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ସର୍ବନିମ୍ନ ତାପମାତ୍ର ୧୧.୦ ଡିଗ୍ରୀ ସେଲସିୟସ ଥିବା କହିଛି ପାଣିପାଗ ବିଭାଗ ।

ଆସନ୍ତା ୧୭ତାରିଖଠାରୁ ଶୀତ ବଢ଼ିବ। ରାତିର ତାପମାତ୍ରା ଆହୁରି କମିବ। ଏକାଧିକ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିବ। ଏବେ ଯେତିକି ତାପମାତ୍ରା ରହୁଛି, ତା’ଠାରୁ ୨ରୁ ୩ ଡିଗ୍ରି କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏବେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆସନ୍ତା ୩ ଦିନ ଭିତରେ ଦାରିଙ୍ଗବାଡ଼ି ସମେତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଗତ ୨୪ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରି ରେକର୍ଡ଼ କରାଯାଇଥିବାବେଳେ ଫୁଲବାଣୀରେ ୧୨, ଟିଟିଲାଗଡ଼ରେ ୧୩.୧, କେନ୍ଦୁଝରରେ ୧୪.୪, ଝାରସୁଗୁଡ଼ାରେ ୧୪.୬, କୋରାପୁଟରେ ୧୪.୬, ସମ୍ବଲପୁରରେ ୧୪.୮ ଡିଗ୍ରି ରହିଛି।

ଏ ବର୍ଷ ଶୀତ ଡେରିରେ ଆସିଥିଲେ ମଧ୍ୟ ପ୍ରକୋପ ଆଗକୁ ଆହୁରି ବଢ଼ିବ ଓ ପାରଦ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଶୀତରୁ ମୁକ୍ତି ପାଇବା ପାଇଁ ଗ୍ରାମାଞ୍ଚଳରେ ଗାଁ ଦାଣ୍ଡ ଓ ରାସ୍ତା କଡ଼ରେ ନିଆଁ ଜଳାଇ ଚାରି ପାଖରେ ଲୋକେ ବସୁଥିବା ଦେଖିବାକୁ ମିଳିଛି। ଶୀତ ଯୋଗୁଁ ସକାଳୁଆ ଦୂରଦୂରାନ୍ତକୁ ଯିବା କଷ୍ଟକର ହେଉଛି।