ଆସୁଛି ଆଉ ୨ ଲଘୁଚାପ: ଅକ୍ଟୋବର ୩୦ରେ ଏ ମାସର ଚତୁର୍ଥ ଲଘୁଚାପ ସୃଷ୍ଚି ହେବ, ପ୍ରଭାବ କମ୍; ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ପୁଣି ଏକ ଲଘୁଚାପ ସମ୍ଭାବନା
କନକ ବ୍ୟୁରୋ: ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ଫେରିବା ପାଇଁ ଅନୁକୂଳ ବାତାବରଣ ରହିଛି। ତେଣୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ମୌସୁମୀ ବାୟୁ ଫେରିଯିବ। ୨୮ ତାରିଖ ସୁଦ୍ଧା ସମଗ୍ର ଭାରତରୁ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ବିଦାୟ ନେଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୫ ଦିନ ଯାଏ ରାଜ୍ୟରେ ପାଣିପାଗ ମୁଖ୍ୟତଃ ଶୁଖିଲା ରହିବ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ଅକ୍ଟୋବର ୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ବିଭିନ୍ନ ମଡ଼େଲ୍ ଚିତ୍ରକୁ ଅନୁଶୀଳନ କରି ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କଲେଣି। ଏହାର କି ପ୍ରଭାବ ତାହା ଏଯାଏ ଜଣାପଡିନାହିଁ। କିନ୍ତୁ ଅକ୍ଟୋବରମାସରେ ଏହା ଚତୁର୍ଥ ଲଘୁଚାପ ହେବ ଓ ଏହାର ପ୍ରଭାବ ନଭେମ୍ବର ୧ ତାରିଖ ପରେ ଓଡ଼ିଶାରେ ଅନୁଭୂତ ହେବ। ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଲଘୁଚାପକୁ ପିଛା କରି ସପ୍ତାହକ ଅନ୍ତରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଥିବା ପାଣିପାଗ ଚିତ୍ର ସଙ୍କେତ ଦେଲାଣି।
ପାଣିପାଗବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ପ୍ରଶାନ୍ତ ମହାସାଗରରେ ଏବେ ଦୁଇଟି ବାତ୍ୟା ରହିଛି। ଗୋଟିଏ ଦୁର୍ବଳ ହୋଇ ୨୯ ତାରିଖ ବେଳକୁ ଭିଏତ୍ନାମ୍ ଦେଇ ଉତ୍ତର ଆଣ୍ଡାମାନ ସାଗର ବା ମିଆଁମାର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରୂପ ନେବ। କ୍ରମେ ଏହା ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଶକ୍ତି ବଢାଇବ ଓ ତାମିଲନାଡୁ ପାଖାପାଖିି ଯାଇ ସେଠାରୁ ପୁଣି ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ଦୂରରେ ଆଗକୁ ବଢିବ। ବର୍ତ୍ତମାନର ମଡେଲ୍ ଯାହା ସୂଚନା ଦେଉଛି, ଏହା ଦୁଇ ତିନି କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବା ପ୍ରବଳ ବର୍ଷା କରାଇବ ଓ ଉପକୂଳ ଛୁଇଁବା ବେଳକୁ ପୂରା ଦୁର୍ବଳ ହୋଇସାରିଥିବ। ନଭେମ୍ବର ୨ କିମ୍ବା ୩ ତାରିଖରେ ଏହାର ସାମାନ୍ୟ ପ୍ରଭାବ ଉପକୂଳ ଓଡ଼ିଶା ଉପରେ ପଡ଼ିବ। ଆକାଶ ମେଘୁଆ ରହିବ ଓ ଠାଏ ଠାଏ ହାଲ୍କା ବର୍ଷା ହୋଇପାରେ।
ଡ. ପଶୁପାଳକଙ୍କ କହିବା କଥା ହେଉଛି, ଏହାର ରୂପ ଓ ଗତି ସଂପର୍କରେ ଏବେଠାରୁ କହିବା କଷ୍ଟକର। କାରଣ, ଉପର ବାୟୁମଣ୍ଡଳର ସ୍ଥିତି ଯାହା ରହିଛି, ଏହା ସମୁଦ୍ର ଭିତରେ ଶକ୍ତି ବଢାଇବାର ସମ୍ଭାବନା ଅଧିକ। ପବନର ଦିଗ ଓ ତାପମାତ୍ରା ଉଭୟ ସୁହାଇବା ଭଳି ସ୍ଥିତିରେ ରହିଛି। ଗତ ତିନିଟି ଲଘୁଚାପକୁ ଲକ୍ଷ୍ୟ କରାଯାଉଛି ଯେ ସେମାନେ ବଙ୍ଗାେପସାଗରେ ବେଶ୍ ଅଧିକ ସମୟ ରହୁଛନ୍ତି। ଅବଶ୍ୟ ସେତେବେଳେ ସେମାନଙ୍କର ଶକ୍ତି ବଢାଇବା ଲାଗି କୌଣସି ସୁଯୋଗ ନଥିଲା। ୩୦ ତାରିଖ ବେଳକୁ ଏ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ରଖିହେବ ଓ ଏହାର ପ୍ରଭାବର ଠୋସ୍ ଆକଳନ ହୋଇପାରିବ। ତେବେ ଏହାର ୬ ଦିନ ପରେ ଅର୍ଥାତ୍ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ପୂର୍ବ-ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଧୀରେ ଧୀରେ ଉଜ୍ଜଳ ହେବାରେ ଲାଗିଛି।