ତତଲା କଡ଼େଇରେ ସିଝୁଛି ଓଡ଼ିଶା : ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ପାର୍

252

କନକ ବ୍ୟୁରୋ : ତତଲା କଡ଼େଇରେ ସିଝୁଛି ଓଡ଼ିଶା। ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ହସ୍ତସନ୍ତ କଲାଣି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ । ଫଳରେ ରାଜ୍ୟରେ ଏବେ ତାତିରୁ ତ୍ରାହି ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

କେନ୍ଦ୍ରର ସୂଚନା ମୁତାବକ, ଏବେ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୨୮ ତାରିଖ ଅପରାହ୍ନ ଆଡ଼କୁ ବିଜୁଳି, ଘଡ଼ଘଡ଼ି ସହ କିଛି କିଛି ସ୍ଥାନରେ ବର୍ଷା ହୋଇପାରେ। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରାୟ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି କେନ୍ଦ୍ର ସୂଚନା ଦେଇଛି। ଏଥିସହ ଏହି ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୯ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ ଜଗତସିଂହପୁରରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ ଓ ପବନର ବେଗ ୩୦ରୁ ୪୦ କିମି ରହିବ। ଏହି ଜିଲ୍ଲାଗୁଡ଼ିକ ପାଇଁ ବି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। କାଳବୈଶାଖୀ ଫଳରେ ଜିଲ୍ଲାଗୁଡ଼ିକୁ ତାତିରୁ ଟିକେ ଆଶ୍ବସ୍ତି ମିଳିପାରେ ବୋଲି ଆଶା କରାଯାଉଛି।

Comments are closed.