ଆସନ୍ତାକାଲିଠୁ ରାଜ୍ୟରେ ବଦଳିଯିବ ପାଗ ! କମିବ ବର୍ଷା, ବଢିବ କୁହୁଡି

902

କନକ ବ୍ୟୁରୋ: ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ପଶ୍ଚିମ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ସହ ସ୍ବଳ୍ପ ବର୍ଷା ହେବ। ଏହାପରେ କିନ୍ତୁ ପାଗରେ ପରିବର୍ତନ ଆସିବ। ବର୍ଷା କମିବା ସହ କୁହୁଡ଼ି ଓ ଥଣ୍ଡା ବଢ଼ିବ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଉପକୂଳ, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ଘନକୁହୁଡ଼ି ସହ ଥଣ୍ଡା ସାମାନ୍ୟ ବଢ଼ିବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି। ୧୦ ଓ ୧୧ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ବଲାଙ୍ଗୀର, ସୋନପୁର, କଟକ, ଢେଙ୍କାନାଳ, ଖୋର୍ଧା, ଭଦ୍ରକ, ଯାଜପୁର, ବାଲେଶ୍ବର ଆଦି ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆକଳନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ୮ ତାରିଖ ରାତିରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା କମିବ। ପୁରୀର ଦକ୍ଷିଣରେ ଥିବା ଉପକୂଳ ଅଞ୍ଚଳରେ ତାପମାତ୍ର କମ୍ କମିବ ବା ଅପରିବର୍ତ୍ତିତ ରହିବ। ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ୧୦ ତାରିଖରେ ସର୍ବନିମ୍ନ ତାପମାତ୍ରା କମିବ। ୧୦ରୁ ୧୨ ତାରିଖ ଭିତରେ ପ୍ରାୟ ଦୁଇ ଡିଗ୍ରି କମିବ ଏବଂ ଥଣ୍ଡା ବଢ଼ିବ। ୯ ତାରିଖ ରାତିରେ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ତାପମାତ୍ରା କମିବ। ୧୦ ତାରିଖ ରାତିରେ ମଧ୍ୟ ପୁଣି ସର୍ବନିମ୍ନ ତାପମାତ୍ରା କମିବା ହେତୁ ଥଣ୍ଡା ବହୁତ ବଢ଼ିବ। ବାଲେଶ୍ବର, ଭଦ୍ରକ ଓ ସଂଲଗ୍ନ ଅଞ୍ଚଳରେ ଦୁଇ ଡିଗ୍ରିରୁ ଅଧିକ କମିପାରେ।

Comments are closed.