ଥଣ୍ଡାରୁ ମିଳିବ ନାହିଁ ନିସ୍ତାର ! କେତେକ ସ୍ଥାନରେ ହୋଇପାରେ ସ୍ୱଳ୍ପବର୍ଷା, ଘନକୁହୁଡିର ବି ରହିଛି ସମ୍ଭାବନା

365

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଅନୁଗୁଳ, ବୌଦ୍ଧ, ସୋନପୁର ଓ ଦେବଗଡ଼ ଜିଲ୍ଲାରେ ଥଣ୍ଡା ଲାଗି ରହିବ। ଏହି ସମୟରେ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ସୋନପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। କେତେକ ସ୍ଥାନରେ କୁହୁଡ଼ିର ପ୍ରଭାବ ଅଧିକ ରହିବ ଏବଂ ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବନି। ଏହାପରେ କିନ୍ତୁ ପାଗ ବଦଳିବ। ୮ ତାରିଖଠାରୁ କେତେକ ଜିଲ୍ଲାରେ ହାଲୁକା ବର୍ଷା ଏବଂ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

୮ ତାରିଖ ପୂର୍ବାହ୍ନରୁ ୯ ତାରିଖ ପର୍ଯ୍ୟନ୍ତ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ଉତ୍ତର ଓଡ଼ିଶା ସମେତ ସୋନପୁର, ବୌଦ୍ଧ, କନ୍ଧମାଳ, ନୟାଗଡ଼, ଖୋର୍ଧା, କୋରାପୁଟ, ଗଜପତି, ଗଞ୍ଜାମ, ବାଲେଶ୍ବର, ପୁରୀ, ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୧୧ ତାରିଖ ଭୋର ସମୟରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ହେବ।