ପୁଣି ତାପମାତ୍ରା ବଢ଼ିବ, ଶୀତ କମିବ ! ଆସନ୍ତା ୨ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା ! ପରେ ରାଜ୍ୟର ତାପମାତ୍ରା ବଢ଼ିବା ସହ ଧୀରେଧୀରେ କମିବ ଶୀତ

156

କନକ ବ୍ୟୁରୋ: ଗତ ୨୪ ଘଣ୍ଟାରେ ରାଜ୍ୟର ସମସ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିଲା। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ଉପକୂଳ ଓଡ଼ିଶାର ପାରଦସ୍ତର ଖସିଥିଲେ ମଧ୍ୟ ଅଧିକ ଥଣ୍ଡା ପଡ଼ିନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ଖସିଥିବା ବେଳେ କେତେକ ସ୍ଥାନରେ ୨ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତର ଖସିଛି। ଏବେ ରାଜ୍ୟକୁ ଉତ୍ତର ଭାରତରୁ ପବନ ପ୍ରବାହିତ ହେଉଥିବାରୁ ଉପକୂଳ ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନରେ ତାପମାତ୍ରା ଆଉ ଟିକେ ହ୍ରାସ ପାଇବାର ସମ୍ଭାବନା ରହିଛି। ଏହା ପରେ ରାଜ୍ୟର ତାପମାତ୍ରା ବଢ଼ିବା ଆରମ୍ଭ କରି ଓ ଧୀରେଧୀରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ, ରାଜ୍ୟରେ ୪ ତାରିଖଠାରୁ ଥଣ୍ଡା ପଡ଼ିବା ଆରମ୍ଭ ହୋଇଯାଇଛି। ଅନୁମାନ କରାଯାଉଛି ରାଜଧାନୀ ସମେତ ଉପକୂଳ ଜିଲ୍ଲାଗୁଡ଼ିକରେ ୮ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି କମିପାରେ। ତା’ପର ଦୁଇ ଦିନ କ୍ରମଶଃ ବଢ଼ିବ। ବିଶେଷ ଭାବେ ୧୧ ଓ ୧୨ ତାରିଖ ରାତିର ତାପମାତ୍ରା ବିଶେଷ ବଢ଼ିବା ଯୋଗୁଁ ଥଣ୍ଡା କମିବ। ଅନୁମାନ କରାଯାଉଛି, ୧୨ ତାରିଖ ସୁଦ୍ଧା ଉପକୂଳରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୫ ଡିଗ୍ରି ବଢ଼ିବ। ଆଭ୍ୟନ୍ତରୀଣ ଦକ୍ଷିଣରେ ୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ୧ ଡିଗ୍ରି ତାପମାତ୍ରା କମି ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪ ଡିଗ୍ରି ବଢ଼ିବ। ଆଭ୍ୟନ୍ତରୀଣ ଉତ୍ତରରେ ରାତିର ତାପମାତ୍ରା ୧୦ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହି, ତା’ପରେ ୧୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବା ଯୋଗୁଁ ଶୀତ ରହିବ ନାହିଁ। ଉତ୍ତର ଭାରତରୁ ଆସୁଥିବା ଥଣ୍ଡା ପବନ ପୁଣି ଫେରିବାରେ ଏକ ସପ୍ତାହ ଲାଗିଯିବ।

ସେହିଭଳି ଭିଏତନାମ କୂଳରେ ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ସମେତ ପୂର୍ବ ଉପକୂଳର ରାଜ୍ୟକୁ ପୂର୍ବ ତରଙ୍ଗାୟିତ ପବନ ସୃଷ୍ଟି ହୋଇଛି। ୧୧ ତାରିଖରେ ଏହା ଓଡ଼ିଶା ଉପକୂଳରେ ରହିବା ହେତୁ ୧୧ ଓ ୧୨ ତାରିଖରେ ଓଡ଼ିଶାର ସମସ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ବର୍ଷା ହେବାର ବି ସମ୍ଭାବନା ରହିଛି। ପୁରୀ, ଖୋର୍ଧା ଓ ଗଞ୍ଜାମରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ହାଲୁକାରୁ ସ୍ବଳ୍ପ ବର୍ଷା ହୋଇପାରେ।