ମହାପ୍ରଭୁଙ୍କ ରଥଯାତ୍ରାରେ ବାଧକ ସାଜିବନି ବର୍ଷା ! ଆଜି ପୁରୀର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ କିନ୍ତୁ ବର୍ଷା ହେବାର ସମ୍ଭାବନା କ୍ଷୀଣ: ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ଅଞ୍ଚଳରେ କାଁ ଭାଁ ବର୍ଷା

240

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥଯାତ୍ରାରେ ବାଧକ ସାଜିବନି ବର୍ଷା ! ଆଜି ପୁରୀର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବ! କିନ୍ତୁ ବର୍ଷା ହେବାର ସମ୍ଭାବନା କ୍ଷୀଣ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ଦୁଇ ଦିନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ିଦେଲେ ବାକି ଅଞ୍ଚଳରେ କାଁ ଭାଁ ବର୍ଷା ହେବ। ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ।

କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ରହିଛି। ଗତ ଦୁଇ ଦିନ ହେଲା ରାଜ୍ୟର କିଛି କିଛି ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଯାହା ସମୁଦ୍ର ପତ୍ତନଠାରୁ ୦.୯ କିମି ରୁ ୭.୬ କିମି ପର୍ଯ୍ୟନ୍ତ ବ୍ୟାପିଛି। ଏହାଛଡ଼ା ମୌସୁମୀ ସହ ଜଡ଼ିତ ଟ୍ରଫ୍ ଲାଇନ୍ ଉତ୍ତର ପଞ୍ଜାବଠାରୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ୟ୍ୟନ୍ତ ହରିୟାଣା, ଦକ୍ଷିଣ ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଉପକୂଳ ମଧ୍ୟ ଦେଇ ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ୟ୍ୟନ୍ତ ଲମ୍ବିଛି।

ଏହି ଟ୍ରଫ୍ ଲାଇନ୍ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ନବରଙ୍ଗପୁର, ବରଗଡ଼, କଳାହାଣ୍ଡି, ସମ୍ବଲପୁର, ଝାରସୁଗୁଡ଼ା ଓ ସୋନପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଉପକୂଳ ଅଞ୍ଚଳରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଦିନ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୫ ଓ ୨୬ତାରିଖରେ ରାଜ୍ୟର କିଛି ସ୍ଥାନରେ ବିଜୁଳି-ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବାକୁ ଥିବାରୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।