ସତର୍କ ରୁହନ୍ତୁ ! ଆସନ୍ତା ୨ ଦିନ ଏହି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଆକଳନ କଲା ପାଣିପାଗ ବିଭାଗ

692

କନକ ବ୍ୟୁରୋ :  ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଆସନ୍ତା ୨ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ, ସୋନପୁର, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବ।

ସେହିପରି ୧୪ ତାରିଖ ଦିନ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି ଓ କନ୍ଧମାଳ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହାସହ  ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଓ କୋରାପୁଟର କୋଟପାଡ଼ରେ ସର୍ବାଧିକ ୫୦ ମିମି ବର୍ଷା ରେକର୍ଡ କରାଯାଇଛି। ଏଥିସହ ବରଗଡ଼ର ଅତାବିରା, ଆମ୍ବଭୋନା, କଳାହାଣ୍ଡି କଳମପୁରରେ ୪୦ ମିମି ଲେଖାଏଁ ବର୍ଷା ହୋଇଥିବା ଜଣାପଡ଼ିଛି।