୧୧ ରୁ ୧୪ ବର୍ଷା ଆଲର୍ଟ କିନ୍ତୁ ହୋଲିରେ ଶୁଖିଲା ରହିବ ପାଗ । ଏଣିକି ଧୀରେ ଧୀରେ ଦିନର ବଢିବ ତାପମାତ୍ରା

ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । 

କନକ ବ୍ୟୁରୋ : ହୋଲିରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କାଁ ଭାଁ ଗୋଟେ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ତେବେ ଅପରାହ୍‌ଣଠାରୁ ୧୪ ତାରିଖ ଯାଏ ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୦ ତାରିଖ ଅପରାହ୍‌ଣଠାରୁ କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ନୂଆପଡ଼ା, ବରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

୧୧ରୁ ୧୩ ତାରିଖ ମଧ୍ୟରେ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ସମେତ ସୋନପୁର, ବଲାଙ୍ଗୀର, କନ୍ଧମାଳ, ବାଲେଶ୍ୱର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ସୁନ୍ଦରଗଡ଼, ମୟୂରଭଞ୍ଜ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ଯାଏ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ହେବନି। ୯ ତାରିଖରେ ଉତ୍ତର କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ।

ପାଣିପାଗ ବିଶେଷଜ୍ଞ ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆସନ୍ତା ୧୦ ତାରିଖ ତଥା ହୋଲି ଦିନ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଅପରାହ୍‌ଣରେ କେତେକ ସ୍ଥାନରେ ପାଗ କୋହଲା ହୋଇପାରେ।ସୋମବାରରୁ ରାଜ୍ୟରେ ପବନର ଦିଗ ପରିବର୍ତନ ସହ ପାଗରେ ପରିବର୍ତନ ଆସିବ। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ବଢ଼ିବ। ୯ ଓ ୧୦ ତାରିଖ ଦୁଇଦିନ ଭିତରେ ୨ରୁ ୩ ଡିଗ୍ରି ବଢ଼ିବାର ସମ୍ଭାବନା ରହିଛି। ୧୨ରୁ ୧୪ ତାରିଖ ମଧ୍ୟରେ ସର୍ବାଧିକ ତାପମାତ୍ରା ବିଶେଷ ଭାବେ ବଢ଼ିବ ଏବଂ ଗରମ ଅନୁଭୂତ ହେବ। ଭୁବନେଶ୍ୱର ସମେତ ଉପକୂଳ, କେନ୍ଦ୍ରୀୟ ଓ ଦକ୍ଷିଣ ଓଡ଼ିଶାର ଅଧିକ ଗରମ ଅନୁଭୂତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe