ରାଜ୍ୟରେ ୮ ପର୍ଯ୍ୟନ୍ତ ଝଡବର୍ଷା ସମ୍ଭାବନା । ୟୋଲୋ ୱାର୍ଣ୍ଣିଂଜାରି କଲା ପାଣିପାଗ ବିଭାଗ

2,755

କନକ ବ୍ୟୁରୋ : ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ଝଡ଼ବର୍ଷା ବି ‌ହୋଇପାରେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ଘଡ଼ଘଡ଼ି, ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୪ ତାରିଖ ସକାଳ ସମୟରେ ପଶ୍ଚିମ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ୪ ତାରିଖ ଅପରାହ୍ନଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ ସମେତ ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୫ ତାରିଖ ମଧ୍ୟାହ୍ନଠାରୁ ୬ ତାରିଖ ସକାଳ ସୁଦ୍ଧା ବର୍ଷା ପରିମାଣ ବଢ଼ିବା ସହ ପବନ ବି ବହିବ। କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ ଜିଲ୍ଲାରେ କେତେକ ସ୍ଥାନରେ ଝଡ଼ବର୍ଷା ହେବ। ବଜ୍ରପାତ ସହ ସ୍ଥା‌ନେ ସ୍ଥ‌ାନେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଉତ୍ତର କେନ୍ଦ୍ରୀୟ ଓଡ଼ିଶା, ଖୋର୍ଧା ଓ ନୟାଗଡ଼ ଜିଲ୍ଲାରେ ଘଡ଼ଘଡ଼ି ମାରିବ ବୋଲି ପୂର୍ବାନୁମାନ କରାଯାଇଛି।

୬ ଓ ୭ ତାରିଖରେ ବି ସମାନ ସ୍ଥିତି ଲାଗି ରହିବ। କନ୍ଧମାଳ, ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଟକ, ଖୋର୍ଧା, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ମାରିବ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ୮ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ଝଡ଼ବର୍ଷା ହୋଇପାରେ। ୯ ତାରିଖଠାରୁ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆହୁରି କୁହାଯାଇଛି ‌ଯେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦିନର ତାପମାତ୍ରାରେ ସେଭଳି ପରିବର୍ତନ ହେବନି। ତେବେ ଏହାପରେ ୨ରୁ ୪ ଡିଗ୍ରି ପର୍ୟ୍ୟନ୍ତ ହ୍ରାସ ପାଇବ। ୩ରୁ ୪ ଦିନ ଯାଏ ରାତିର ତାପମାତ୍ରାରେ କୌଣସି ପ୍ରକାର ପରିବର୍ତନ ହେବନି।