ସତର୍କ ରୁହ ୮ ଜିଲ୍ଲା ! ବାତ୍ୟା ଆଶଙ୍କା ନାହିଁ କିନ୍ତୁ ରାଜ୍ୟରେ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାରେ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ

16,558

କନକ ବ୍ୟୁରୋ: ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି, କିନ୍ତୁ ଏହା ଦ୍ୱାରା ଭାରତୀୟ ମୂଳ ଭୂଖଣ୍ଡରେ ବାତ୍ୟା ହେବାର ଆଶଙ୍କା କମ ରହିଛି । ବିଶେଷକରି ଓଡ଼ିଶା, ଆନ୍ଧ୍ର ପ୍ରଭୃତି ରାଜ୍ୟରେ ବାତ୍ୟା ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଦେଇଛି । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ ।

ଏପରିକି କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହା ସହିତ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରାଜ୍ୟର ୮ ଟି ଜିଲ୍ଲା ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହଳଦିଆ ସତର୍କତା ବା ୟେଲୋ ଓ୍ୱାର୍ଣିଂ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଭୁବନେଶ୍ୱରର ଆକାଶ ମେଘୁଆ ରହିବା ସହ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି । ଏହି ସମୟରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ରହିବାର ସମ୍ଭାବନା ରହିଛି ।