ସପ୍ତାହେ ପର୍ଯ୍ୟନ୍ତ ମେଘୁଆ ପାଗ । ୯ରୁ ବଢିବ ତାତି, ୫ ରୁ କେତେକ ସ୍ଥାନରେ ହାଲୁକା ବର୍ଷା

986

କନକ ବ୍ୟୁରୋ : ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢ଼ିବାର ସମ୍ଭାବନା ନାହିଁ। ୩ରୁ ୮ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମେଘୁଆ ପାଗ ଜାରି ରହିବା‌ ସହ କେତେକ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଅନୁଭୂତ ହେବନି। ବର୍ତ୍ତମାନ ରାଜ୍ୟକୁ ଉତ୍ତରା-ପଶ୍ଚିମା ପବନ ବହୁଥିବାବେଳେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ପବନର ଦିଗ ବଦଳିବ। ବଙ୍ଗୋପସାଗର ପବନ ରାଜ୍ୟକୁ ବହିବ। ପାଗରେ ପରିବର୍ତ୍ତନ ହେବ।

ସେହିପରି ଉପକୂଳବର୍ତ୍ତୀ ସଂଲଗ୍ନ ଅଞ୍ଚଳରେ ୩ତାରିଖରୁ ପାଗ ଆଂଶିକ ମେଘୁଆ ରହିବ। ୫ରୁ ୭ପର୍ଯ୍ୟନ୍ତ ପାଗ ସଂପୂର୍ଣ୍ଣ ମେଘୁଆ ରହିବ। ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ହେଲେ ପଶ୍ଚିମ ଓଡ଼ିଶାରେ ୪ରୁ ୬ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ୫ ଓ ୬ରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ୫ରୁ ୮ପର୍ଯ୍ୟନ୍ତ ହାଲୁକା ବର୍ଷା ହୋଇପାରେ।

ହେଲେ ୯ରୁ ଭୁବନେଶ୍ବରରେ ପାଗ ବଦଳିବା ସହ ତାପମାତ୍ରା ବଢ଼ିବ। ୯ରୁ ୧୨ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ଡିଗ୍ରି ବଢ଼ିବାର ସମ୍ଭାବନା ଅଛି। ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ତାପମାତ୍ରା ବିଶେଷ ବଢ଼ିବ ନାହିଁ। ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ବଲାଙ୍ଗୀର, ସୋନପୁରରେ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବାକୁ ଥିବାବେଳେ ବାକି ଅଞ୍ଚଳରେ ପାଗ ପ୍ରାୟତଃ ସ୍ବାଭାବିକ ରହିବ।