ଧୀରେ ଧୀରେ ରାଜ୍ୟରେ ବଢୁଛି ତାପମାତ୍ରା । ଅଧିକାଂଶ ସହରର ତାପମାତ୍ରା ଟପିଲାଣି ୩୦, ଆଗକୁ ଆହୁରି ବଢିବ ତାପମାତ୍ରା

248

କନକ ବ୍ୟୁରୋ : ବଢ଼ୁଛି ତାତି। ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ଇତି ମଧ୍ୟରେ ୩୦ ଡିଗ୍ରି ଟପିଗଲାଣି। ଏପରିକି ମାଲକାନଗିରି ଓ ପାରଳାଖେମୁଣ୍ଡି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୩୪ ଡିଗ୍ରି ପାର୍‌ ହୋଇଛି। ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆହୁରି କୁହାଯାଇଛି ଯେ ଆସନ୍ତା ୨ରୁ ୩ ଦିନ ଯାଏ ସର୍ବନିମ୍ନ ତାପମାତ୍ରାରେ ସେଭଳି ପରିବର୍ତନ ଆସିବ ନାହିଁ। ‌ତେବେ ଦିନର ତାପମାତ୍ରା ବଢ଼ିବ। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହେବ। ଉପକୂଳ ଓଡ଼ିଶାରେ କୁହୁଡ଼ି ପରିମାଣ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କୁହୁଡ଼ି ହେବାକୁ ଥିଲେ ମଧ୍ୟ ଦିନର ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ହେଉଛି ଯେ ଆସନ୍ତା ୧୮ ତାରିଖ ଯାଏ ଥଣ୍ଡା ପ୍ରବାହ ଜାରି ରହିବ। ତେବେ ଦିନର ତାପମାତ୍ରା ବଢ଼ିବ ଓ ୨୦ ତାରିଖରେ ଚଳିତବର୍ଷର ସବୁଠାରୁ ଅଧିକ ଗରମ ଅନୁଭୂତ ହେବ। ଏବେ ରାଜ୍ୟକୁ ବହୁଥିବା ଉତ୍ତରା ପଶ୍ଚିମା ଥଣ୍ଡା ପବନ ୧୮ ତାରିଖ ଯାଏ ଜାରି ରହିବ। ଏହା ପରେ ପାଗରେ ପରିବର୍ତନ ଆସିବ ଓ ପବନର ଦିଗ ବଦଳିବ। ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ। ତେଣୁ ଦିନର ତାପମାତ୍ରା ବଢ଼ିବ। ୧୯ ଓ ୨୦ ତାରିଖ ଭିତରେ ୨ ଡିଗ୍ରି ବଢ଼ିପାରେ। ୧୮ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ଲଗାତାର ବୃଦ୍ଧି ପାଇବ। କୋରାପୁଟ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଆଦି ଜିଲ୍ଲାରେ ୨୦ ତାରିଖ ସୁଦ୍ଧା‌ ୬ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି।