ବଦଳିଲା ପାଗ । ଉପକୂଳ ଅଂଚଳରେ କୋହଲା ପାଗ ସାଙ୍ଗକୁ ବର୍ଷା, ଆସନ୍ତା ଦୁଇଦିନ ମଧ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ସାମାନ୍ୟ ବର୍ଷା ସମ୍ଭାବନା

549

କନକ ବ୍ୟୁରୋ : ରାଜ୍ୟର ଦକ୍ଷିଣରେ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସୃଷ୍ଟି ହୋଇଥିବାରୁ ଆକାଶ ମେଘାଛନ୍ନ ରହିବା ସହ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଗୁରୁବାର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ରହିବ। ଶୁକ୍ରବାର ଏହା ବିହାର ଉପରେ ରହିବ। ଏହା ପ୍ରଭାବରେ ୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ଏପରିକି ୬ରୁ ୮ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୋପାଳପୁରରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ପ୍ରଫେସର ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ବର୍ତ୍ତମାନ ଯେପରି ମେଘୁଆ ପାଗ ଅଛି ଆସନ୍ତା ୯ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ। ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ୭ରୁ ୯ତାରିଖରେ ପାଗ ଅଧିକ କୋହଲା ରହିବ। ୬ତାରିଖ ତୁଳନାରେ ୭ ଓ ୮ତାରିଖରେ ଅଧିକ ବର୍ଷା ହେବ। ୯ରେ ଝିପିଝିପି ବର୍ଷା ହେବ। ହେଲେ ୬ରୁ ୮ତାରିଖ ମଧ୍ୟରେ ଭୁବନେଶ୍ବର, କଟକ, ପୁରୀରେ ୫୦ରୁ ୬୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏହି ସମୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ କମ୍‌ ବର୍ଷା ହେବ। କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ। ହେଲେ ବର୍ଷାର ପରିମାଣ ୨୦ରୁ ୩୦ମିମି ଭିତରେ ରହିବ।

ଏହି ସମୟରେ ରାତିର ତାପମାତ୍ରା ବଢ଼ିବ ନାହିଁ। କିନ୍ତୁ ଦିନର ତାପମାତ୍ରା କମିବାରୁ କୋହଲା ପାଗ ରହିବ। କେତେକ ସ୍ଥାନରେ ଦିନର ତାପମାତ୍ରା ୧୬ଡିଗ୍ରିକୁ ଖସିପାରେ। ଏହି ଦିନଗୁଡ଼ିକରେ ବଙ୍ଗୋପସାଗର ପବନ ସ୍ଥଳଭାଗକୁ ବହିବ। ଜଳୀୟବାଷ୍ପ ଅଧିକ ରହିବା ସହ ତାପମାତ୍ରା କମ୍‌ ରହିବା କାରଣରୁ ଅଧିକାଂଶ ସ୍ଥାନରେ ବର୍ଷା ହେବ। ହେଲେ ୯ରୁ ଥଣ୍ଡା ଉତ୍ତରା ପବନ ବହିବ। ଫଳରେ ଆସନ୍ତା କିଛି ଦିନ ପାଇଁ ଥଣ୍ଡା ପୁଣି ଫେରିବ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ୪ଦିନରେ ପାଗ ବାରମ୍ବାର ବଦଳିବ। ପାଣିପାଗ ବ୍ୟବସ୍ଥା ପୂରା ଅସ୍ଥିର ରହିବ। ଯାହା ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।ଏହି ୪ଦିନ ‌ଆକାଶ ମେଘୁଆ ରହିଲେ ବି ୮ରୁ କୁହୁଡ଼ି ପଡ଼ିବ। ୯ରେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ପଡ଼ିବ।

ସେହିପରି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ୧୦ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୯ତାରିଖ ପର୍ୟ୍ୟନ୍ତ ଅଧିକାଂଶ ସ୍ଥାନରେ ଅଧିକ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।