ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟର ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା: ଘନ କୁଡୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି

2,130

କନକ ବ୍ୟୁରୋ: ବିଷୁବରେଖା ପାଖାପାଖି ଭାରତ ମହାସାଗର ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ଲମ୍ବିଛି। ଆଗାମୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ଓ ଏହାର ପରବର୍ତୀ ୪୮ ଘଣ୍ଟାରେ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପଟି ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁ ହୋଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲାନାଡ଼ୁ ଉପକୂଳ ଆଡ଼କୁ ଗତି କରିବ। ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ନାହିଁ। କିନ୍ତୁ ୨୫ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ର କହିଛି, ଉକ୍ତ ଲଘୁଚାପ ଛଡ଼ା ଏବେ ଓଡ଼ିଶାର ଆଭ୍ୟନ୍ତରୀଣ ଭାଗ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କିମି ପର୍ୟ୍ୟନ୍ତ ପରିବ୍ୟାପ୍ତ। ଏହା ପ୍ରଭାବରେ ଆଜି ଅପରାହ୍ନ ପର୍ଯ୍ୟନ୍ତ ମୁଖ୍ୟତଃ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ ଆଦି ଜିଲ୍ଲାର କେତେକ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଥିସହ ବାଲେଶ୍ବର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ। କୋରାପୁଟ, କଟକ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, ବଲାଙ୍ଗୀର, ନୟାଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ।

ଆଜି ଅପରାହ୍ନରୁ ୨୩ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ କଳାହାଣ୍ଡିରେ ଗୋଟିଏରୁ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୨୩ ଅପରାହ୍ନରୁ ୨୪ ତାରିଖ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଲଘୁଚାପ ପ୍ରଭାବରେ ୨୫ ତାରିଖରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ। ଅନ୍ୟପଟେ ୨୨ ଓ ୨୩ ତାରିଖରେ ଘନ କୁଡୁଡ଼ିର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୁଖ୍ୟତଃ ଯେଉଁ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେଠାରେ ବର୍ଷା କମିବା ପରେ ତାପମାତ୍ରା କମିବ ଓ ଘନ କୁହୁଡ଼ି ଦେଖାଯିବ। ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗୀର, କେନ୍ଦୁଝର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଢେଙ୍କାନାଳ ଓ କନ୍ଧମାଳ ଆଦି ଜିଲ୍ଲାରେ ଆସନ୍ତା ୨ ଦିନ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି।