କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ପରଠାରୁ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ରାଜ୍ୟର ଦୁଇଟି ଜିଲ୍ଲାକୁ ଛାଡ଼ି ଦେଲେ ଅନ୍ୟ ସବୁଆଡ଼େ ପାରଦ ଖସିଛି। ଆସନ୍ତା ୨୨ ତାରିଖ ଯାଏ ଏହି ସ୍ଥିତି ଜାରି ରହିବ। ଏହି ସମୟରେ ପବନର ବେଗ ବଢ଼ିବ। ୨୧ ତାରିଖ ରାଜ୍ୟର ଅନେକ ଜିଲ୍ଲାରେ ପବନ ସହ ବଡ଼ ଧରଣର କାଳବୈଶାଖୀ ବର୍ଷା ହେବ। ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ଆଶଙ୍କା ଥିବାରୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ୨୦ ଓ ୨୨ ତାରିଖରେ ମଧ୍ୟ ରାଜ୍ୟରେ ଝଡ଼ତୋଫାନ ସହ କାଳବୈଶାଖୀ ବର୍ଷା ହେବ। ଏଣୁ କେନ୍ଦ୍ର ପକ୍ଷରୁ ଏହି ଦୁଇ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ୩୦ରୁ ୪୦ କିମି ରହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୨୧ ତାରିଖ ଦିନ ପବନର ବେଗ ବଢ଼ିବ। ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କନ୍ଧମାଳ, ବଲାଙ୍ଗୀର ଓ କେନ୍ଦୁଝର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି।
ପୁଣି ସେହିଦିନ ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ଼, କଟକ, ରାୟଗଡ଼ା, ଗଜପତି, ଗଞ୍ଜମ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ। ଏଣୁ ୨୧ ତାରିଖ ପାଇଁ ଏହି ସବୁ ଜିଲ୍ଲାଗୁଡ଼ିକରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୨ ତାରିଖ ଦିନ ପବନର ବେଗ କମିବ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବ। ଏହି ଦିନ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ୨୩ ତାରିଖ ଦିନ ପାଗ ଶୁଖିଲା ରହିବ।