୫ରୁ ବଢ଼ିବ ଶୀତ, ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ପାରଦ ! ଆଂଶିକ ମେଘୁଆ ରହିବ ଉପକୂଳ ଓଡ଼ିଶାରେ ପାଣିପାଗ ! କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା

157

କନକ ବ୍ୟୁରୋ: ନଭେମ୍ବର ୫ ତାରିଖରୁ ରାଜ୍ୟରେ ଶୀତର ଲହରି ଖେଳିଯିବ। ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଫଳରେ ସଂଧ୍ୟା ପରଠାରୁ ଥଣ୍ଡା ଲାଗିବା ଆରମ୍ଭ ହୋଇଯିବ। ବର୍ତ୍ତମାନ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରି କମ୍ ଅର୍ଥାତ ୧୬ ଡିଗ୍ରି ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରି ଅଧିକ ରହିଛି। ଏଭଳି ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗିରହିବ। ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହା ପରେ ସର୍ବନିମ୍ନ ତାପମାତ୍ରା ଖସିବ ଓ ରାଜ୍ୟରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ଥିଲା। କୋରାପୁଟଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୪.୦ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସୋନପୁରରେ ୧୪.୮ ଡିଗ୍ରି, ଅନୁଗୁଳ ୧୬.୬ ଓ ଫୁଲବାଣୀରେ ୧୬.୫ ଡିଗ୍ରି ସର୍ବନିମ୍ନ ତାପମାତ୍ରା ଥିବା ସୂଚନା ମିଳିଛି। ଏହିଭଳି ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି କମ୍ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି। ଭୁବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୨୨.୬ ଡିଗ୍ରି ରହିଥିବା ବେଳେ କଟକରେ ୨୧.୨ ଡିଗ୍ରି ରହିଥିଲା।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ। ଉପକୂଳ ଓଡ଼ିଶାରେ ଆଂଶିକ ମେଘୁଆ ପାଗ ରହିବ ଓ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ। ଏହାପରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କମିବାରେ ଲାଗିବ। ପାଖାପାଖି ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ପାରଦସ୍ତର ଖସିବ। ଫଳରେ ନଭେମ୍ବର ୫ ତାରିଖରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହୋଇଯିବ।