ରାଜ୍ୟରେ ଆଉ ୩ ଦିନ କାଳବୈଶାଖୀ ସମ୍ଭାବନା। ଆଜି ୭ ଜିଲ୍ଲାରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହ ହୋଇପାରେ ପ୍ରବଳ ଝଡବର୍ଷା

ରାଜ୍ୟରେ ଆଉ ୩ ଦିନ କାଳବୈଶାଖୀ ସମ୍ଭାବନା। ଆଜି ୭ ଜିଲ୍ଲାରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହ ହୋଇପାରେ ପ୍ରବଳ ଝଡବର୍ଷା

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୩/୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ଆଖିଦୃଶିଆ ପରିବର୍ତ୍ତନ ହେବନାହିଁ। କିନ୍ତୁ ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ବଢ଼ିବ। କିଛି ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏବେବି ରାଜ୍ୟରେ କିଛି ସ୍ଥାନର ତାପମାତ୍ରା ବଢ଼ିଛି। ୪ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ଟିଟିଲାଗଡ଼ର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିଛି।

କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ରାଜ୍ୟର ପ୍ରାୟ ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ। ଏହି ସମୟରେ ପବନର ବେଗ ଅଧିକ ରହିବ। ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବ ଏବଂ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୧୨ ତାରିଖ ଦିନ ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ଝଡ଼ବର୍ଷା ହେବ। ୧୩ ତାରିଖ ଦିନ ପବନର ବେଗ କମିବ। କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ।

୧୪ ତାରିଖ ପରଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ। ୧୮ ତାରିଖ ବେଳକୁ ଭୁବନେଶ୍ବର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ ଓ ତା’ ପରେ ପୁଣି କ୍ରମଶଃ ବଢ଼ିବ। ଅତ୍ୟଧିକ ଆର୍ଦ୍ରତା ହେତୁ ଉପକୂଳ ଅଞ୍ଚଳରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ସେଲ୍ସିୟସ ଅଧିକ ଅନୁଭୂତ ହେବ। ଉତ୍ତର-ପଶ୍ଚିମାଞ୍ଚଳର କେତେଗୁଡ଼ିଏ ସ୍ଥାନରେ ୧୮ ତାରିଖରେ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିବ। ସେହିପରି ମାଲକାନାଗିରି, କଳାହାଣ୍ଡି, ବଲାଙ୍ଗୀର, ଗଜପତି, ବୌଦ୍ଧ ଓ ତାଳଚେରରେ ତାପମାତ୍ରା ୪୪ ଡିଗ୍ରି ଅତିକ୍ରମ କରିବାର ସମ୍ଭାବନା ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe