୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ୧୮ତାରିଖରୁ ପାଗରେ ଆସିପାରେ ପରିବର୍ତ୍ତନ

738

କନକ ବ୍ୟୁରୋ: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାପରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ। ବର୍ଷା କମିବ। ଦିନର ତାପମାତ୍ରା ବଢ଼ିବ। ତେବେ ୧୮ ତାରିଖଠାରୁ ପୁଣିଥରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ, ୧୫ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ଝଡ଼ବର୍ଷା ହେବ। ୧୬ ଓ ୧୭ ତାରିଖରେ କେନ୍ଦ୍ରୀୟ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିବ। ବର୍ଷା ପୁଣି ବଢ଼ିବ ବୋଲି ଆକଳନ କରାଯାଇଛି।

ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୨୭.୬ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୨୩, ଫୁଲବାଣୀରେ ୧୧.୬, କଟକରେ ୬.୪, ବାଲେଶ୍ବରରେ ୩.୬, ବାରିପଦାରେ ୨.୨ ମିମି ବର୍ଷା ରେକର୍ଡ କରାଯାଇଛି। ଇତିମଧ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ୟ୍ୟନ୍ତ ବଢ଼ିଛି। ଭବାନୀପାଟଣାରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ୩୬.୨, ବଲାଙ୍ଗୀର ଓ ନୟାଗଡ଼ରେ ୩୬, ମାଲକାନଗିରିରେ ୩୫.୮, ବୌଦ୍ଧରେ ୩୫.୫, ଭୁବନେଶ୍ବରରେ ୩୫.୪ ଡିଗ୍ରି ରେକର୍ଡ ହୋଇଛି।