ଆଜି ପୁଣି ପ୍ରବଳ ବର୍ଷିବ ! ଉତ୍ତରଉପକୂଳ ଓଡିଶାର ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି । ମହାନଦୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆଶଙ୍କା

ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସତର୍କ କଲେ ଏସଆରସି

1,066

କନକ ବ୍ୟୁରୋ: ଉତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୱେଲମାର୍କ ରୂପ ନେଇଛି । ଏହାର ପ୍ରଭାବରେ ଆଜିଠାରୁ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ପ୍ରବଳ ବର୍ଷା କାରଣରୁ ୯ଜିଲ୍ଲାରେ ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି । ବାଲେଶ୍ୱର ,ଭଦ୍ରକ, ମୟୁରଭଂଜ, କେନ୍ଦୁଝର, ପାରାଦୀପ, ଝାରସୁଗୁଡା, ଅନୁଗୁଳ, ଦେବଗଡ଼, କଟକର ଖାଲୁଆ ଅଂଚଳରେ ପାଣି ଜମା ହୋଇପାରେ । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ । ଏହି ଜିଲ୍ଳା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଉତର ଉପକୂଳବର୍ତୀ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଏହି ଜିଲ୍ଲା ଗୁଡିକରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇପାରେ ବୋଲି ସତର୍କ କରାଇ ଦେଇଛି ପାଣିପାଗ ବିଭାଗ ।

ସେପଟେ ପାଣିପାଗ ବିଭାଗର ବର୍ଷା ଆକଳନ ପରେ ସତର୍କ ହୋଇଛନ୍ତି ସରକାର । ଲଘୁଚାପ ଜନିତ ବର୍ଷା ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର । ବର୍ଷା ଯୋଗୁଁ ତଳି ଅଂଚଳ ପାଣି ଜମି ରହିବ । କେତେକ ସ୍ଥାନରେ ରାସ୍ତା ଉପରେ ପାଣି ପ୍ରବାହିତ ହେବା ସହ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ରହିଛି । ତେଣୁ ବର୍ଷା ଯୋଗୁଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନେ ସତର୍କ ରହିବା ପାଇଁ କୁହାଯାଇଛି ।