ବଦଳିଲା ପାଣିପାଗ: ଏଣିକି କମିବ ଶୀତ ବଢିବ ପାରଦ ! ରାଜ୍ୟରେ ଆଉ ପୂର୍ବଭଳି ଅନୁଭୂତ ହେବନି ଥଣ୍ଡା । ସପ୍ତାହକ ମଧ୍ୟରେ ବୃଦ୍ଧି ପାଇବ ତାପମାତ୍ରା

655

କନକ ବ୍ୟୁରୋ: ଏଣିକି ଥଣ୍ଡା କମିବ। ଆଉ ଆଗଭଳି ଶୀତ ଅନୁଭୂତ ହେବନି। ଆସନ୍ତା ସପ୍ତାହକ ଭିତରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଏବଂ ଦିନର ତାପମାତ୍ରା ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଦୁଇ ଦିନ ଯାଏ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ଆଜିଠାରୁ ଅନୁଗୁଳ, ବାଲେଶ୍ବର, ସୋନପୁର, ଝାରସୁଗୁଡ଼ା, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଲାଗିରହିବ। ସ୍ବାଭାବିକ ତାପମାତ୍ରା ୩ରୁ ୪ ଡିଗ୍ରି କମ୍ ରହିବ। ଏଥିସହ ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା ଓ ମାଲକାନଗିରିରେ ଘନ କୁହୁଡ଼ି ଜାରି ରହିବ। ଏହାପରେ ପାଗରେ ପରିବର୍ତନ ଆସିବା ସହ ତାପମାତ୍ରା ବଢ଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସବୁଠି ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିଛି। ତେବେ ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୯ ଡିଗ୍ରି ଥିବା ବେଳେ ଝାରସୁଗୁଡ଼ାରେ ୯.୬ ଡିଗ୍ରି ରହିଥିଲା। ଅନ୍ୟ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବା ସୂଚନା ମିଳିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ପୂର୍ବ ଆକଳନ ଅନୁଯାୟୀ ଏଣିକି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଥଣ୍ଡା କମିବ। ୧୦ ତାରିଖ ରାତିରେ ସମ୍ବଲପୁରଠାରୁ କେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ସରଳରେଖାର ଉତ୍ତରରେ ଥଣ୍ଡା କମିବା ଆରମ୍ଭ ହେବ। ତେବେ ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ୧୦ ଓ ୧୧ ତାରିଖରେ ଥଣ୍ଡା ଅପେକ୍ଷାକୃତ କମ୍ କମିବ। ଅନୁମାନ କରାଯାଉଛି ଯେ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପଶ୍ଚିମ, ଉତ୍ତର ଓ କେନ୍ଦ୍ରୀୟ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରି ବଢ଼ିବ। ଏଥିସହ ଦିନର ସର୍ବାଧିକ ତାପମାତ୍ରା ୧୫ ତାରିଖ ସୁଦ୍ଧା ୭ରୁ ୮ ଡିଗ୍ରି ବଢ଼ିବ।