୩ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ଚାଷୀଙ୍କୁ ସତର୍କ କରାଇଲା ଓୟୁଏଟି; ଅମଳ ସାପେକ୍ଷ ହୋଇଥିଲେ ଫସଲକୁ ଅମଳ କରି ଦିଅନ୍ତୁ

899

କନକ ବ୍ୟୁରୋ: ବର୍ତ୍ତମାନ ବିଭିନ୍ନ ଜିଲ୍ଲାରେ ହେଉଥିବା କାଳବୈଶାଖୀ ଏବଂ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଆସନ୍ତା ୩ ତାରିଖ ଯାଏ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ଘଡ଼ଘଡ଼ି ସହ ବର୍ଷା ଓ କରକାପାତ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ବିଭିନ୍ନ ଫସଲର ସୁପରିଚାଳନା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

କୁହାଯାଇଛି ଯେ ଅଧିକ ବର୍ଷା ହେଲେ ବିଲରେ ଥିବା ଡାଳୁଅ ଧାନ, ମୁଗ ଓ ବିରି ଭଳି ଡାଲି ଜାତୀୟ ଫସଲ, ସୂର୍ଯ୍ୟ ମୁଖୀ ଓ ଚିନାବାଦାମ ଭଳି ତୈଳବୀଜ ଫସଲ, ବାଇଗଣ, ଲଙ୍କା, ଭେଣ୍ଡି, କଖାରୁ ଜାତୀୟ ପନିପରିବା ଓ ବିଭିନ୍ନ ଫୁଲଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରନ୍ତୁ। ଡାଳୁଅ ଧାନ ଅମଳ ସାପେକ୍ଷ ହୋଇଥିଲେ ଅମଳ କରି ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ। ଜମିରେ ଥିବା ଅମଳ ଉପଯୋଗୀ ମୁଗ, ବିରି, ସୂର୍ଯ୍ୟ ମୁଖୀ ଓ ଚିନାବାଦାମ ଫସଲକୁ ଅମଳ କରି ଦିଅନ୍ତୁ। ନହେଲେ ଚିନାବାଦାମ ମଞ୍ଜି ଗଛରେ ଥାଇ ଗଜା ହୋଇଯିବାର ସମ୍ଭାବନା ରହିଛି। କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ। ପନିପରିବା ତୋଳିବା ଅବସ୍ଥାରେ ଥିଲେ, ସେଗୁଡ଼ିକୁ ତୋଳି ଦେଇ ବିକ୍ରିବଟା କରି ଦିଅନ୍ତୁ। ପିଆଜ ଓ ରସୁଣ ଅମଳ ସାପେକ୍ଷ ହୋଇଯାଇଥିଲେ, ଏହାକୁ ଆଦାୟ କରି ଖେଳେଇ କରି ଶୁଖାଇବାକୁ ପରାମର୍ଶ ଦିଆଯାଇଛି।

ଝିପିଝିପି ବର୍ଷା ଯୋଗୁଁ ଲଟା ଜାତୀୟ ପନିପରିବା ଫସଲରେ ଶୋଷକ କୀଟ ଲାଗି ଅଗ ଭୃଷୁଙ୍ଗା ହୋଇଯିବାର ସମ୍ଭାବନା ରହିଛି। ଠିକ୍ ଭାବେ ଫସଲ ନିରୀକ୍ଷଣ କରି ଏହାର ନିରାକରଣ ପାଇଁ ଏକର ପ୍ରତି ୪୦ଗ୍ରାମ୍ ଥାୟୋମେଥୋକ୍ଜାମ୍ କିମ୍ବା ୫୦ ମିଲି ଇମିଡାକ୍ଲୋପ୍ରିଡ୍ କିମ୍ବା ୫୦ ଗ୍ରାମ୍ ଏସିଟାମିପ୍ରିଡ଼୍କୁ ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରବର୍ତୀ ସମୟରେ ବାଇଗଣ, ଭେଣ୍ଡି ଓ ଲଙ୍କା ପ୍ରଭୃତି ପନିପରିବାରେ ମୂଳସଢ଼ା ରୋଗ ଦେଖାଦେବାର ସମ୍ଭାବନା ଥିବାରୁ ନିୟନ୍ତ୍ରଣ କରିବା ପାଇଁ ୧ ଲିଟର ପାଣିରେ ୨ ଗ୍ରାମ୍ ମେଟାଲାକ୍ସିଲ ସହ ମାଙ୍କୋଜେବ୍ ମିଶ୍ରିତ ଔଷଧ ମିଶାଇ ମାଟି ଭିଜା କରନ୍ତୁ। କଖାରୁ ଜାତୀୟ ଫସଲରେ ବର୍ଷା ପରବର୍ତ୍ତୀ ସମୟରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଦେଖାଦେଇପାରେ। ଏହି ରୋଗକୁ ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ୨ଗ୍ରାମ୍ ମେଟାଲାକ୍ସିଲ ସହ ମାଙ୍କୋଜେବ୍ ମିଶ୍ରିତ ଔଷଧ କିମ୍ବା ୦.୬ ଗ୍ରାମ୍ ଆଜୋସ୍କିଷ୍ଟ୍ରୋବିନ୍ + ଟେବୁକୋନାଜୋଲ୍ ମିଶ୍ରିତ ଔଷଧ ମିଶାଇ ୧୦ ଦିନ ଅନ୍ତରରେ ୨ ରୁ ୩ଥର ଅଦଳ ବଦଳ କରି ସିଞ୍ଚନ କରନ୍ତୁ। ଝୁଡ଼ଙ୍ଗରେ କଳଙ୍କି ରୋଗ ଦେଖାଯିବା ସମ୍ଭାବନା ଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୨ ଗ୍ରାମ୍ କ୍ଲୋରୋଥାଲାନିଲ୍ ମିଶାଇ ପକାନ୍ତୁ।

ବର୍ଷାଜଳକୁ ଉପଯୋଗ କରି ଖରାଟିଆ ଚାଷ କରି ଜମି ପ୍ରସ୍ତୁତ କରନ୍ତୁ। ଖରାଟିଆ ଶାଗ ଓ ନଳିତା ବୁଣାବୁଣି କାର୍ଯ୍ୟ କରନ୍ତୁ। ଖରିଫ ଫସଲ ପାଇଁ ବିହନ, ସାର ଇତ୍ୟାଦି ସଂଗ୍ରହ କରି ରଖନ୍ତୁ। କୋଭିଡ଼୍-୧୯ ଯୋଗୁଁ ତାଲାବନ୍ଦ ଅବଧିରେ ବିଭିନ୍ନ କୃଷି କାର୍ଯ୍ୟ ଓ ବିକ୍ରିବଟା କରିବା ସମୟରେ ଅନୁମୋଦିତ ସତର୍କତା ଯଥା ମୁହଁରେ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତ୍ବ ରକ୍ଷା କରିବାକୁ କୁହାଯାଇଛି।