ଓଡ଼ିଶାକୁ ନାହିଁ ବାତ୍ୟା ବିପଦ: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୧୦ରେ ଲଘୁଚାପ; ୧୪ରେ ଭୀଷଣ ବାତ୍ୟା ରୂପ ନେବ

Advertisment
ଓଡ଼ିଶାକୁ ନାହିଁ ବାତ୍ୟା ବିପଦ: ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୧୦ରେ ଲଘୁଚାପ; ୧୪ରେ ଭୀଷଣ ବାତ୍ୟା ରୂପ ନେବ

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୭ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୧ ତାରିଖ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ରୂପ ନେବାରେ ଲାଗିଥିବା ବେଳେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ଓ ୧୪ ତାରିଖ ବେଳକୁ ଏହା ଭୀଷଣ ବାତ୍ୟା ରୂପ ନେଇପାରେ। ତେବେ ଆଶ୍ବାସନାର ବିଷୟ ହେଉଛି, ଏହା ଓଡ଼ିଶାଠାରୁ ଯଥେଷ୍ଟ ଦୂରରେ ରହି ମିଆଁମାର ଆଡ଼କୁ ମୁହାଁଇବ। ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କଲେଣି।

ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ଗତ ୧ ତାରିଖ ଆଣ୍ଡାମାନ ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି। ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ହେଲେ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି େହାଇଛି; ଯାହା ବାତ୍ୟା ରୂପ ନେଇପାରେ। ଗତ ୪ ତାରିଖ ଦିନ ସମ୍ଭାବ୍ୟ ବାତ୍ୟା ରୂପ ନେଇ ପୂର୍ବାନୁମାନ କରାଯାଇଥିଲା। କେତେକ ମଡ଼େଲ ଏହା ଉପରେ ସେତେବେଳେ ନିରବ ରହିଥିଲେ। ବର୍ତମାନ କିନ୍ତୁ ଅଧିକାଂଶ ମଡ଼େଲ ବାତ୍ୟାର ଚିତ୍ର ଆଙ୍କିଲେଣି। ବାତ୍ୟା ପାଇଁ ଆବଶ୍ୟକ ଉପାଦାନ ଅନୁକୂଳ ହେବାରେ ଲାଗିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମତ ରଖିଛନ୍ତି।

ପାଣିପାଗବିତ୍ ପୂର୍ବତନ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ ବିଭିନ୍ନ ମଡ଼େଲକୁ ଅନୁଧ୍ୟାନ କରି କହିଛନ୍ତି, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଜଳପତ୍ତନ ତାପମାତ୍ରା ୩୦ରୁ ୩୧ ଡିଗ୍ରି ମଧ୍ୟରେ ରହୁଛି, ଯାହା ବାତ୍ୟା ପାଇଁ ଆବଶ୍ୟକ ୨୭ ଡିଗ୍ରିଠାରୁ ଢେର୍ ଅଧିକ। ସେହିଭଳି ଘୂର୍ଣ୍ଣିବଳୟ ସକ୍ରିୟ ହେବା ପାଇଁ ଆବଶ୍ୟକ ଆର୍ଦ୍ରତା ପୂର୍ଣ୍ଣ ପବନ ଭାରତ ମହାସାଗରରେ ଅଧିକରୁ ଅଧିକ ହେବାରେ ଲାଗିଛି। ଏକଥା ବି ଦେଖାଯାଉଛି ଯେ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ରକୁ ଚର୍ତୁଦିଗରୁ ପବନ ପ୍ରବେଶ ପାଇଁ କ୍ଷେତ୍ର ଅନୁକୂଳ ରହିଛି। ସେହିଭଳି ପବନ ଉପର ବାୟୁମଣ୍ଡଳରେ ବିଚ୍ଛୁରିତ ହେବା ପାଇଁ ବି ସ୍ଥିତି ସପକ୍ଷରେ ଯାଉଛି।
ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ସୁମାତ୍ରାର ଉତ୍ତରରେ ତଥା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ, ଯାହାକି ଉତ୍ତର ପଶ୍ଚିମ ଦିଗରେ ଗତିକରିବ। ଅନ୍ୟପକ୍ଷରେ ସେହି ସମୟରେ ଶ୍ରୀଲଙ୍ଗା ଓ ସଂଲଗ୍ନ ତାମିଲନାଡୁ ଅଞ୍ଚଳର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବ। ଏ ଦୁଇଟି ଘୂର୍ଣ୍ଣବିଳୟ ୧୦ ତାରିଖ ବେଳକୁ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ କିମ୍ବା ସଂଲଗ୍ନ ଅଞ୍ଚଳରେ ସମ୍ମିଶ୍ରଣ ହେବା ସମ୍ଭାବନା ଉଜ୍ଜଳ।

ଅନ୍ୟ ଏକ ମଡ଼େଲ ଅନୁସାରେ, ସୁମାତ୍ରା ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ନ ହେେଲ ମଧ୍ୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତିକରିବ ଓ ପରେ ପୁଣି ଦିଗ ପରିବର୍ତନ କରିପାରେ। ଅର୍ଥାତ୍ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳଠାରୁ ଦୂରରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ବାତ୍ୟା ଦିଗ ପରିବର୍ତନ କରି ପୂର୍ବ-ଉତ୍ତର ପୂର୍ବ ଦିଗରେ ଗତି କରିବ। ଦକ୍ଷିଣ ବାଂଲାଦେଶ ଉପକୂଳ କିମ୍ବା ସଂଲଗ୍ନ ଉତ୍ତର ମିଆଁମାର ଆଡ଼କୁ ମୁହାଁଇବ। ଫଳରେ ଓଡ଼ିଶାଠାରୁ ଏହା ଦୂରରେ ରହିବ। ଏଣୁ ବର୍ତମାନ ଚିତ୍ର ଅନୁସାରେ, ଓଡ଼ିଶା ଉପରେ କୌଣସି ଭୟ ନାହିଁ। କାରଣ ସଂପର୍କରେ ଦର୍ଶାଇ ଡ. ପଶୁପାଳକ କହିଛନ୍ତି, ଏବେ ଉତ୍ତର ବଙ୍ଗୋପସାଗରର ପରିସ୍ଥିତି ଓ ଅବସ୍ଥିତି ଯାହା ରହିଛି ଓ ଉପର ବାୟୁମଣ୍ଡଳରେ ପଶ୍ଚିମା ପବନ ବହୁଥିବା କାରଣରୁ ଏହା ଓଡ଼ିଶା ଉପକୂଳକୁ ମୁହାଁଇବା ଲାଗି ବିଶେଷ ସୁଯୋଗ ନାହିଁ।

ମିଳୁଥିବା ସୂଚନା ଅନୁସାରେ, ଏହି ଘୂର୍ଣ୍ଣିବଳୟ ୧୦ ତାରିଖ ଦିନ ଲଘୁଚାପ ରୂପ ନେବ ଏବଂ ୧୩ ବା ୧୪ ତାରିଖରେ ବାତ୍ୟା ରୂପ ନେବ। ବର୍ତମାନର ଚିତ୍ର ଅନୁସାରେ, ଏହା ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ତେବେ ୧୨ ତାରିଖ ବେଳକୁ ବାତ୍ୟା କେଉଁ ରୂପ ନେବ, କେଉଁ ଦିଗରେ ଯିବ ଓ କେଉଁଠାରେ ତଥା କେବେ ସ୍ଥଳଭାଗ ଛୁଇଁବ ତାହା ଜଣାପଡିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe