କନକ ବ୍ୟୁରୋ : ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବା କରିବା ପାଇଁ ଆହୁରି ଦୁଇ ସପ୍ତାହରୁ ଅଧିକ ସମୟ ବାକି ରହିଛି । ଚଳିତବର୍ଷ ନିର୍ଦ୍ଧାରିତ ସମୟ ଠାରୁ ୨ରୁ ୩ ଦିନ ବିଳମ୍ବରେ ରାଜ୍ୟରୁ ପ୍ରତ୍ୟାବର୍ତ୍ତନ କରିବ ମୌସୁମୀ । ତେବେ, ରାଜ୍ୟରେ ଏବେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି । ଫଳରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପାଗ ଖରାଟିଆ ଓ ଆକାଶ ନିର୍ମେଘ ରହିବ ଏବଂ ଦିନର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । ୩୦ ତାରିଖ ବେଳକୁ ରାଜ୍ୟରେ ଝଡ଼ବର୍ଷା ଜନିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ନରେ ପାଣିପାଗ କେନ୍ଦ୍ର ପକ୍ଷରୁ ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଏବେ ଏକ ଟ୍ରଫ୍ ଲାଇନ୍ ପୂର୍ବ ବିହାର ଓ ସଂଲଗ୍ନ ସବ୍ହିମାଳୟାନ୍ ପଶ୍ଚିମବଙ୍ଗ ଓ ସିକିମ୍ ଅଞ୍ଚଳରୁ ବାହାରି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଯାଏ ବ୍ୟାପିଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ମଧ୍ୟ ଦେଇ ଗତି କରୁଛି ଓ ସମୁଦ୍ର ପତ୍ତନଠାରୁ ୩.୧ କିମି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଛି । ଫଳସ୍ୱରୂପ ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏବେ ମୌସୁମୀ ଦୁର୍ବଳ ରହିଥିବାରୁ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ୨ ଦିନରେ ଦିନର ତାପମାତ୍ରା ବୃଦ୍ଧି ପାଇବ ।
ହେଲେ, ୩୦ ତାରିଖ ଦିନ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ । ବିଶେଷ କରି ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ଖୋର୍ଧା, ପୁରୀ, ନୟାଗଡ଼, ରାୟଗଡା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଢ଼େଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।