ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି ! ଆସନ୍ତା କାଲିଠାରୁ କମିପାରେ ତାପମାତ୍ରା, ଜାଣନ୍ତୁ ୨୪ ଘଂଟା ମଧ୍ୟରେ କେଉଁ କେଉଁ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

36

କନକ ବ୍ୟୁରୋ: ଅସହ୍ୟ ତାତିରେ ସାରା ଓଡ଼ିଶା ଅସ୍ତବ୍ୟସ୍ତ ହୋଇଗଲାଣି। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ବାହାରି ହେଉନି । ଡହ ଡହ ଖରାକୁ ଝାଞ୍ଜି ପବନ ବହୁଛି । ରାସ୍ତାରୁ ବିକିରଣ ହେଉଥିବା ତାତିରେ ପାଦରୁ ମୁହଁ ପର୍ଯ୍ୟନ୍ତ ଜଳି ଯାଉଛି । ଉପକୂଳ ଓଡ଼ିଶାରେ ସ୍ଥିତି ଟିକେ ନିୟନ୍ତ୍ରଣାଧୀନ ଥିବାବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେଲାଣି । ପ୍ରାୟ ଦୁଇ ସପ୍ତାହ ହେଲା ଲୋକ ତାତିରେ ଆଉଟୁପାଉଟୁ ହୋଇଗଲେଣି ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ ସୂଚନା ଅନୁଯାୟୀ, ଆଉ ୨୪ଘଣ୍ଟା ଏହିଭଳି ଅସହ୍ୟ ତାତି ଅନୁଭୂତ ହେବ। ଶନିବାର ଠାରୁ ଟିକେ ଆଶ୍ୱସ୍ତି ମିଳିବ । ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହା ପ୍ରଭାବରେ ଶନିବାର ଠାରୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ କମ୍ ତାତି ଅନୁଭୂତ ହେବ । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତକାଲି ରାଜ୍ୟର ୧୦ଟି ସହରରେ ପାରଦ ୪୦ଡିଗ୍ରି ଉପରେ ଥିବାବେଳେ ହୀରାକୁଦରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୭ଡିଗ୍ରି ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୨.୧, ଝାରସୁଗୁଡ଼ାରେ ୪୨.୫, ସମ୍ବଲପୁରରେ ୪୨.୬, ତାଳଚେରରେ ୪୦.୮, ଭବାନିପାଟଣାରେ ୪୧.୬, ବଲାଙ୍ଗୀରରେ ୪୨.୬, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୦.୪, ସୋନପୁରରେ ୪୧.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଗଜପତି, ରାୟଗଡ଼ା ପ୍ରମୁଖ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେବ। କେତେକ ସ୍ଥାନରେ ୫୦ରୁ ୬୦କିମି ବେଗରେ ପବନ ବହିବା ସହ କୁଆପଥର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।