ଆସନ୍ତା ୨୯ ଯାଏଁ ଉପକୂଳ ଓଡିଶାରେ କାଳବୈଶାଖୀ ସମ୍ଭାବନା । ଗୋପାଳପୁରା ଉପକୂଳରେ ଅଶାନ୍ତ ସମୁଦ୍ର । ମତ୍ସ୍ୟଜୀବୀ ଓ ପର୍ଯ୍ୟଟକଙ୍କୁ ସତର୍କ କଲା ପାଣିପାଗ ବିଭାଗ

98

କନକ ବ୍ୟୁରୋ: ଆସନ୍ତା ୨୯ ତାରିଖ ଯାଏଁ ଓଡ଼ିଶାର ଉପକୂଳବର୍ତୀ ଅଂଚଳରେ କାଳବୈଶାଖି ହୋଇପାରେ । ଏନେଇ ସୂଚନା ଦେଇଛି ଗୋପାଳପୁରାରେ ଥିବା ମୌସୁମୀ ବିଜ୍ଞାନ ବିଭାଗ ୱେଦର ରାଡ଼ର । କାଳ ବୌଶାଖୀ ସମୟରେ ସମୁଦ୍ର ବହୁ ଅଶାନ୍ତ ରହିବ ବୋଲି ସତର୍କ କରାଇ ଦେଇଛି । ଆସାମ ଠାରେ ସମୁଦ୍ର ପତନଠାରୁ ୯ଶହ ମିଟର ଉପରେ ସୃଷ୍ଟି ହୋଇଛି ଏକ ଘୂର୍ଣ୍ଣିବଳୟ । ସେହି ଘୂର୍ଣ୍ଣିବଳୟର ଏକ ଟ୍ରାପଲାଇନ୍ ସାଉଥ ତାମିଲନାଡ଼ୁ ପଟକୁ ଗତି କରିଛି । ଏହି ଲାଇନଟି ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ର ଦେଇଯାଇଛି । ଫଳରେ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ।

ଆସନ୍ତା ୨୯ ତାରିଖ ଯାଏଁ କାଳବୌଶାଖୀର ସମ୍ଭବନା ଥିବାରୁ ସମୁଦ୍ରର ଜୁଆରିଆ ରହିବ । ଏଥିପାଇଁ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା କହିଛନ୍ତି ଗୋପାଳପୁରଠାରେ ଥିବା ମୌସୁମୀ ବିଜ୍ଞାନ ବିଭାଗ ୱେଦର ରାଡ଼ରର ପାଣିପାଗ ବିଶେଷଜ୍ଞ । ସେପଟେ ଗତ ୨ ଦିନ ଧରି ଗୋପାଳପୁରରେ ସମୁଦ୍ର ଅଶାନ୍ତ ଥିବା ବେଳେ ବଡ଼ ବଡ଼ ଜୁଆର ଆସୁଛି । ଫଳରେ ପର୍ଯ୍ୟଟକ ଓ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ଗୋପାଳପୁର ଏନଏସି ପକ୍ଷରୁ ସତର୍କ କରାଯାଇଛି ।

ସେପଟେ କେନ୍ଦୁଝରରେ ମଧ୍ୟ କାଳବୈଶାଖୀର ତାଣ୍ଡବ । ହଠାତ୍ ବର୍ଷା ସାଙ୍ଗକୁ ପବନ ଲୋକଙ୍କୁ ଭୟଭୀତ କରି ଦେଇଛି । ପ୍ରବଳ ବେଗରେ ପବନ ବହିବା ସହ କୁଆପଥର ବର୍ଷା କିଛି ସମୟ ପାଇଁ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା । ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା ।