ତାତିରୁ ମିଳିବ ଆଶ୍ୱସ୍ତି ! ଆଂଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ, ଏବେ ବଢିବନାହିଁ ଖରା

32

କନକ ବ୍ୟୁରୋ: କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି । ଗତ ତିନି ଦିନ ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ତ୍ରାହି ମିଳିଥିବା ବେଳେ ଗତକାଲି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା କମିଛି । ପ୍ରତି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀର ପ୍ରଭାବ ବି କମିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିଥିଲା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ତାତି ବଢ଼ିବ ନାହିଁ। ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ ପାଗ କୋହଲା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଏପ୍ରିଲ ୧୪ ପର୍ଯ୍ୟନ୍ତ ତାପମାତ୍ରା ସେଭଳି ବଢ଼ିବ ନାହିଁ । ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହୋଇପାରେ । କାଳବୈଶାଖୀର ଆଶଙ୍କା ରହିବ । ୫ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଗତ ୪୮ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବାରିପଦାରେ ସର୍ବାଧିକ ୩୫.୬ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୩୩.୧, ଦାରିଙ୍ଗବାଡ଼ିରେ ୨୭, ପୁରୀରେ ୨୦, କୋରାପୁଟରେ ୧୯.୪, କେନ୍ଦୁଝରଗଡ଼ରେ ୧୨.୯, ଟିଟିଲାଗଡ଼ରେ ୧୦, ଭୁବନେଶ୍ୱରରେ ୬.୩, ସୁନ୍ଦରଗଡ଼ରେ ୫, କଟକରେ ୪.୮, ଫୁଲବାଣୀରେ ୩.୬, ବଲାଙ୍ଗୀର ଓ ମାଲକାନଗିରିରେ ୩, ଚାନ୍ଦବାଲିରେ ୨.୨ ମି.ମି. ବର୍ଷା ହୋଇଛି । ଗତକାଲି ଓଡ଼ିଶାର କୌଣସି ବି ସ୍ଥାନରେ ବର୍ଷା ହୋଇ ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।