ଆଉ ୨ଦିନ ଜାରି ରହିବ ଶୀତର ପ୍ରକୋପ: ରାଜ୍ୟର ୭ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

133

କନକ ବ୍ୟୁରୋ: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ ଏବଂ ତାପରେ ତାପମାତ୍ରା ୩ ରୁ ୪ ଡିଗ୍ରି ବଢ଼ିବ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ ଭାବେ ଶୀତର ପ୍ରକୋପ ରହିଛି। ରାଜ୍ୟର ବୌଦ୍ଧ ଓ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ମୟୂରଭଞ୍ଜ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କୁହୁଡ଼ି ପରିଲକ୍ଷିତ ହୋଇଛି। ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଛି। ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୧.୫ ଡିଗ୍ରି ଥିବା ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରି ରେକର୍ଡ କରାଯାଇଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ଯାଏଁ ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, ବୌଦ୍ଧ ଏବଂ ଗଞ୍ଜାମ ଆଦି ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପକ୍ଷରେ କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ରାୟଗଡ଼ା, ଭଦ୍ରକ ଓ କୋରାପୁଟ ଆଦି ଜିଲ୍ଲାରେ ସାଧାରଣ କୁହୁଡ଼ିର ପ୍ରଭାବ ପରିଲକ୍ଷିତ ହେବ। ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ। ଏହାଛଡ଼ା ରାତ୍ରୀର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।