ଖସୁଛି ପାରଦ, ବଢୁଛି ଶୀତ: ୧୦ ଡିଗ୍ରୀ ତଳେ ୬ ଜିଲ୍ଲାର ପାରା; ଆସନ୍ତା ୨ ଦିନ ଯାଏଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ହେବନି ବିଶେଷ ପରିବର୍ତ୍ତନ

113

କନକ ବ୍ୟୁରୋ: ରାଜ୍ୟର ତାପମାତ୍ରା ଏବେ ଧୀରେଧୀରେ ଖସିବାରେ ଲାଗିଛି। ଶୀତ ବି ବଢ଼ିଛି। ଫୁଲବାଣୀ ୫.୮ ଡିଗ୍ରି ସହ ପୁଣି ଥରେ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରିଛି। ଗତକାଲି ରାଜ୍ୟର ୬ ସହର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ବେଳେ ୮ ସହର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି। ଏଥିସହ ରାଜ୍ୟର ପ୍ରାୟ ଅଞ୍ଚଳ ବିଳମ୍ବିତ ସମୟ ପର୍ଯ୍ୟନ୍ତ କୁହୁଡ଼ି ଚାଦରରେ ଢାଙ୍କି ହୋଇ ରହୁଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ୬ ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରି ତଳକୁ ରହିଛି। ଏଥିସହ ୮ଟି ଅଞ୍ଚଳର ତାପମାତ୍ରା ୧୨ ଡିଗ୍ରି ତଳକୁ ରହିଛି। ଉପକୂଳ ଓଡ଼ିଶାର ତାପମାତ୍ରା ସ୍ବାଭାବିକ ରହିଥିବା ବେଳେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ସ୍ବାଭାବିକଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଭବନେଶ୍ବରରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଯାହାକି ରାଜଧାନୀର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହେବ ନାହିଁ।

ଅର୍ଥାତ ଆଭ୍ୟନ୍ତର ଓଡ଼ିଶାରେ ସ୍ବାଭିବକ ସର୍ବନିମ୍ନ ତାପମାତ୍ରାଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମ୍ ରହିବ ଓ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିବ। ୨ ଦିନ ପରେ ରାଜ୍ୟକୁ ପୂର୍ବା ପବନ ବହିବା ଆରମ୍ଭ ହୋଇଯିବ। ଫଳରେ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ୨ ଦିନ ପରେ ପୁଣି ୨ରୁ ୩ ଡିଗ୍ରି ଏବଂ ଉପକୂଳରେ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ।