ଆଗାମୀ ଦୁଇଦିନ ଶୁଖିଲା ରହିବ ପାଗ । ଘନ କୁହୁଡିର ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

285

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହିତ ରାଜ୍ୟର ଅଳ୍ପ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ରହିବ । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୁରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼ ଆଦି ରହିଛି । ସେହିପରି ୨୮ରୁ ୨୯ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର ଓ ବୌଦ୍ଧ ଆଦି ଜିଲ୍ଲାରେ ବି ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି ।

ଆଗାମୀ ଜାନୁଆରି ୨୯ରୁ ୩୦ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଜାନୁଆରି ୨୯ରୁ ୩୦ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୁରଭଞ୍ଜ ଓ ଅନୁଗୁଳ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ରହିବାର ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଯାବତ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୩.୦ ଡିଗ୍ରି ସେଲସିୟସ ଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୩.୫ଡିଗ୍ରି ସେଲସିୟସ ରହିଛି ।