କନକ ବ୍ୟୁରୋ: ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ବାତ୍ୟାର ରୂପ ନେବ ବୋଲି, ସ୍ପଷ୍ଟ ହୋଇଯାଇଛି । ଲଘୁଚାପ କ୍ଷେତ୍ର ଆଜି ଉତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୧୨ ଘଂଟା ଭିତରେ ଅବପାତର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲି ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଆସନ୍ତାକାଲି ରାତିରୁ ପବନର ବେଗ ବଢିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

Advertisment

କାଲି ପବନର ବେଗ ଘଂଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ବହିପାରେ । ଯାହାର ଝଟକା ୭୫ କିମି ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ୧୦ ତାରିଖ ବେଳକୁ ଏହି ଝଡ ଉତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ପାଖାପାଖି ପହଂଚିବାର ସମ୍ଭାବନା ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସନ୍ଦେହ କରାଯାଉଛି ଓଡିଶା ଉପକୂଳରୁ ଏହି ଝଡ ମୋଡ ବଦଳାଇବା ଆଶଙ୍କା ରହିଛି । କିନ୍ତୁ ଏବେଠାରୁ କିଛି କହିହେବ ନାହିଁ ବୋଲି କହିଛି ଆଇଏମଡି ।

ଅନ୍ୟପଟେ ଏହି ସମୟରେ ଉପକୂଳ ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗଂଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ମତ୍ସଜୀବୀଙ୍କୁ ସମୁଦ୍ର ଯିବା ପାଇଁ ମନା କରାଯାଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଭୀଷଣ ଆଶାନ୍ତ ହେବାର ଆଶଙ୍କା ଥିବାରୁ ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି ।