କନକ ବ୍ୟୁରୋ : ରବିବାର ଏସିଆ କପର ସୁପର-୪ରେ ଭାରତ-ପାକିସ୍ତାନ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିବ । କଲମ୍ବୋରେ ଏହି ବ୍ଲକବଷ୍ଟର ମ୍ୟାଚ୍ ଖେଳାଯିବ । ତେବେ ଲିଗ୍ ପର୍ଯ୍ୟାୟ ଭଳି ସୁପର-୪ର ଏହି ମୁକାବିଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି । ତେବେ ବର୍ଷା ହେଲେ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି । ମ୍ୟାଚର ଗୁରୁତ୍ୱ ଓ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଏସିସି ପକ୍ଷରୁ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି । କାରଣ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଭାରତ-ପାକିସ୍ତାନ ମ୍ୟାଚ୍ ଦିନ କଲମ୍ବୋରେ ବର୍ଷା ହେବାର ୭୦ ପ୍ରତିଶତ ସମ୍ଭାବନା ରହିଛି ।

Advertisment

ଲିଗ୍ ପର୍ଯ୍ୟାୟରେ ମଧ୍ୟ ବର୍ଷା କାରଣରୁ ଭାରତ-ପାକିସ୍ତାନ ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇପାରିନଥିଲା । ଭାରତ ବ୍ୟାଟିଂ କରିଥିଲେ ମଧ୍ୟ ବର୍ଷା କାରଣରୁ ପାକିସ୍ତାନକୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । ଯାହାକୁ ନେଇ କ୍ରିକେଟପ୍ରେମୀ ନିରାଶ ହୋଇଥିଲେ । କାରଣ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉକ୍ରଣ୍ଠା ଥାଏ । କ୍ରିକେଟପ୍ରେମୀଙ୍କ ଡିମାଣ୍ଡକୁ ଦୃଷ୍ଟିରେ ରଖି ସୁପର-୪ର ଭାରତ-ପାକିସ୍ତାନ ମ୍ୟାଚ ପାଇଁ ରିଜର୍ଭ ଡେ ରଖାଯାଇଛି । ତେଣୁ ବର୍ଷା କାରଣରୁ ରବିବାର ଯଦି ମ୍ୟାଚ୍ ନହୁଏ ତେବେ ସୋମବାର ମଧ୍ୟ ସେହି ସମାନ ଟିକେଟ ଦେଖାଇ ଷ୍ଟାଡିୟମରେ ମ୍ୟାଚ୍ ଦେଖିପାରିବେ ଦର୍ଶକ ।

ସୁପର-୪ ପର୍ଯ୍ୟାୟରେ ଭାରତକୁ ଅନ୍ୟ ୩ ଟିମ ବିରୋଧରେ ମ୍ୟାଚ୍ ଖେଳିବାକୁ ପଡିବ । ୧୦ ତାରିଖରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଭାରତ ନିଜର ସୁପର-୪ ଅଭିଯାନ ଆରମ୍ଭ କରିବ । ସେହିଭଳି ୧୨ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ୧୫ ତାରିଖରେ ବାଂଲାଦେଶ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ସେପ୍ଟେମ୍ବର ୧୭ ତାରିଖରେ ଏସିଆ କପର ଫାଇନାଲ ମୁକାବିଲା ଖେଳାଯିବ । ସୁପର-୪ ପର୍ଯ୍ୟାୟର ଶ୍ରେଷ୍ଠ ୨ଟି ଟିମ୍ ଫାଇନାଲ ଖେଳିବେ ।