ରାଜ୍ୟରେ ଶୀତ ଲହରୀ ଜାରି : ୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ସେପଟେ ଉତର ଭାରତରେ ପ୍ରବଳ ଶୀତ ଲହରୀ; କାଶ୍ମୀର ଓ ହିମାଚଳରେ ତୁଷାରପାତ ଯୋଗୁଁ ଜନଜୀବନ ପ୍ରଭାବିତ

119

କନକ ବ୍ୟୁରୋ : ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଜି ସକାଳ ସାଢେ ୮ଟାରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟର ୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ସହର । ଏଠାରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ବରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ, ଭବାନୀପାଟଣାରେ ୯.୨ ଡିଗ୍ରୀ, ବାରିପଦାରେ ୯.୪ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ ଡିଗ୍ରୀ, ଏବଂ କୋରାପୁଟରେ ୯.୬ ଡିଗ୍ରୀ ରହିଛି। ଏଣେ କଟକର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଓ ଭୁବନେଶ୍ବରର ୧୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ଆଗାମୀ କିଛି ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ସେପଟେ ପ୍ରବଳ ଥଣ୍ଡାରେ ଥରୁଛି ଦିଲ୍ଲୀ ସମେତ ଉତର ଭାରତ । ହିମାଚଳପ୍ରଦେଶ , କାଶ୍ମୀର ସମେତ ପଞ୍ଜାବ ଓ ଅନ୍ୟାନ୍ୟ ଅଂଚଳରେ ପ୍ରବଳ ତୁଷାରପାତ ହୋଇଛି । ହିମାଚଳର ସିମଳା ଓ କାଶ୍ମୀରର ରାଜୈରିରେ ପ୍ରବଳ ବରଫପାତ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ଜିଲ୍ଲାର ସମସ୍ତ ରାସ୍ତା ବରଫରେ ଆଚ୍ଛାଦିତ ହୋଇରହିଯାଇଛି । ପାଣିପାଗ ବିଭାଗର କହିବା ଅନୁସାରେ, ଆସନ୍ତା କିଛିଦିନ ପାଇଁ ଉତର ଭାରତରେ ଏଭଳି ତୁଷାରପାତ ଜାରି ରହିବ ।