ରାଜ୍ୟରେ ଥଣ୍ଡାର ଥାର୍ଡ ଡିଗ୍ରୀ । ୧୦ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା

233

କନକ ବ୍ୟୁରୋ : ପୁଣି ଖସିଲା ପାରଦ। ଗତକାଲି ଅପେକ୍ଷା ଆଜି ରାଜ୍ୟର ଅର୍ଧାଧିକ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। ସୋନପୁରଠାରେ ହାଡଭଙ୍ଗା ଜାଡ଼ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି ଶୀତ। ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ପାଖାପାଖି ଦୁଇ ଡିଗ୍ରି କମିଛି। ଗତକାଲି ଏଠାରେ ୬.୮ ଡିଗ୍ରି ରେକର୍ଡ କରାଯାଇଥିଲା। ଆଉ ଆଜି ୪.୮ ଡିଗ୍ରିକୁ ଖସି ଆସିଛି। ଚଳିତ ମାସରେ ପ୍ରଥମ ଥର ପାଇଁ ସୋନପୁରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦାରିଙ୍ଗବାଡ଼ି ଓ ଗଞ୍ଜାମର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ‌ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫୁଲବାଣୀରେ ବି ପ୍ରବଳ ଥଣ୍ଡା। ଏଠାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରିକୁ ଖସିଛି। ଅନୁରୂପ ଭାବେ ଦାରିଙ୍ଗବାଡିରେ ବି ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଥିଲା। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ତଳେ ରହିଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି ଯେ ଆସନ୍ତା ୫ରୁ ୬ ଦିନ ପାଇଁ ଓଡିଶାରେ ବର୍ଷା ନାହିଁ। ବାରିପଦା, ହୀରାକୁଦ, ତାଳଚେର, ଭବାନୀପାଟଣା, କୋରାପୁଟ, ମାଲକାନଗିରି ଆଦି ସହରରେ ହାଲୁକା କୁହୁଡ଼ି ହୋଇଛି। କେବଳ ଟିଟିଲାଗଡ଼ରେ ଘନ କୁହୁଡ଼ି ହୋଇଥିଲା। ଆସନ୍ତା ୨ ଦିନ ଯାଏ ଅଧିକାଂଶ ସହରରେ ହାଲୁକାରୁ ସ୍ୱଳ୍ପ କୁହୁଡ଼ି ହେବ। ୫୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବନି। କେତେକ ପାହାଡିଆ ଅଞ୍ଚଳରେ ଘନ କୁହୁଡ଼ି ହୋଇପାରେ। ଉପକୂଳ ଓଡ଼ିଶାରେ ସେଭଳି ହେବାର ସମ୍ଭାବନା କ୍ଷୀଣ ରହିଛି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି ପରିବର୍ତନ ଦେଖିବାକୁ ମିଳିବନି।