କନକ ବ୍ୟୁରୋ : ରାଜ୍ୟରେ ଆସନ୍ତା କିଛି ଦିନ ଶୀତର ପ୍ରକୋପ କମିବା ସମ୍ଭାବନା ଥିବାବେଳେ କେତେକ ଜିଲ୍ଲାରେ ବର୍ଷାର ସମ୍ଭାବନା ବ୍ୟକ୍ତ କରିଛି ଭୁବନେଶ୍ୱରଠାରେ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା ଓ ଯାଜପୁର ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ପରବର୍ତ୍ତୀ ୪୮ ଘଣ୍ଟାରେ ରାଜ୍ୟର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ । ୩୧ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବ ଓ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Advertisment

ଅନ୍ୟପକ୍ଷରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡ଼ି ଦେଖାଯାଇପାରେ । ଏସବୁ ଜିଲ୍ଲା ମଧ୍ୟରେ ରହିଛି ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ଗଜପତି, କୋରାପୁଟ ଓ ଗଞ୍ଜାମ । ସେହିପରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ ଦୁଇଦିନ ହେଲା ଘନ କୁହୁଡ଼ି ଦେଖାଦେଇଛି । ଏହା ଯୋଗୁଁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି ।