ଆହୁରି ୪୮ ଘଂଟା ପର୍ଯ୍ୟନ୍ତ ଲାଗି ରହିବ ଶୀତ । ଶୁକ୍ରବାରଠାରୁ ଉଭୟ ଦିନ ଓ ରାତିରେ ବଢିବ ତାପମାତ୍ରା

363

କନକ ବ୍ୟୁରୋ : ଆଉ ୪୮ ଘଣ୍ଟା ପର୍ଯ୍ୟନ୍ତ ହାଲୁକା ଶୀତ ଲାଗିରହିବ। କେତେକ ସ୍ଥାନରେ ସ୍ବାଭାବିକ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି କମ୍‌ ରହିବ। ତେବେ ଏହାପରେ କିନ୍ତୁ ଉଭୟ ଦିନ ଓ ରାତିର ତାପମାତ୍ରା ବହୁ ପରିମାଣରେ ବୃଦ୍ଧି ପାଇବ। କେଉଁଠି ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ ତ ଆଉ କେଉଁଠି ୬ ଡିଗ୍ରି ଯାଏ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆକଳନ କରାଯାଇଛି ଯେ ୧୨ ଓ ୧୩ ତାରିଖରେ ଅନୁଗୁଳ, ବାଲେଶ୍ବର, ସୋନପୁର, ବୌଦ୍ଧ, ଝାରସୁଗୁଡ଼ା, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ଥଣ୍ଡା ଅନୁଭୂତ ହେବ। କାଁ ଭାଁ ସ୍ଥାନରେ କୁହୁଡ଼ି ପଡ଼ିପାରେ। ନ ହେଲେ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୨୯ ଓ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ରହିବ। ଗତ ୨୪ ଘଣ୍ଟା ଭିତରେ ଅନୁଗୁଳ ଓ ସୋନପୁରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଉକ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରହିଥିଲା। ଏହାବ୍ୟତୀତ ବୌଦ୍ଧରେ ୮.୫, ଝାରସୁଗୁଡ଼ାରେ ୯.୬, କେନ୍ଦୁଝରରେ ୯.୮ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟ ସମସ୍ତ ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା‌ ଦିଆଯାଇଛି।