ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି । ଏସଆରସି କହିଲେ, ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ବୈତରଣୀ ଓ ଜଳକା । ଭଦ୍ରକ, ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା । ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

924

କନକ ବ୍ୟୁରୋ: ବର୍ଷା ପାଇଁ ସଜାଗ ରହିଛନ୍ତି ସରକାର । ଲଘୁଚାପ ପାଇଁ ବର୍ଷାର ପରିମାଣ ବଢୁଥିବାରୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି । ତେବେ ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ବର୍ଷା ହୋଇଛି । କେନ୍ଦ୍ରାପଡାରେ ଜିଲ୍ଲାରେ ସର୍ବାଧିକ ୧୬୮ ମିଲିମିଟର ବର୍ଷା ହୋଇଛି । ତେବେ ଏଯାଏ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ।

ଆନନ୍ଦପୁର ପାଖରେ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଉପର ମୁଣ୍ଡ ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଆସନ୍ତାକାଲି ସୁଦ୍ଧା ଯାଜପୁର, ଭଦ୍ରକ ତଳିଆ ଅଂଚଳରେ ବୈତରଣୀରେ ନଦୀର ବନ୍ୟା ପାଣି ପସିପାରେ ବୋଲି ଏସଆରସି କହୁଥିବା ବେଳେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଥିବା ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ । ଆଖୁଆପଦା ଠାରେ ବିପଦ ସଂକେତ ଉପରେ ଜଳସ୍ତର ପ୍ରବାହିତ ହେଉଛି ।

ସେହିପରି ଯାଜପୁର, କେନ୍ଦ୍ରାପଡା, ଭଦ୍ରକରେ ବନ୍ୟା ଆଶଙ୍କା ରହିଛି । ବ୍ରାହ୍ମଣୀ, ମହାନଦୀ ରେ ବି ପାଣି ଆସିବ କିନ୍ତୁ ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବର୍ଷା ନେଇ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସାରା ରାଜ୍ୟରେ ବର୍ଷା ହେବାରୁ ତଳି ଅଂଚଳରେ ପାଣି ଜମିଛି । ଏନଡିଆରଏଫ ଓ ଗୋଟିଏ ଓଡ୍ରାଫ ଟିମ ପଠାଯାଇଛି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଥିବା ରାଜସ୍ୱ ମନ୍ତ୍ରୀ କହିଛନ୍ତି ।