ସାରା ରାଜ୍ୟରେ ଜାରି ରହିବ ତାତି ! ଦିନରେ ବଢିବ, ରାତିରେ ଅପରିବର୍ତିତ ରହିବ ତାତି

ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । 

କନକ ବ୍ୟୁରୋ : ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ଅସହ୍ୟ ଗୁଳୁଗୁଳି ସହ ପ୍ରଚଣ୍ଡ ଖରା ଜନଜୀବନକୁ ଅତିଷ୍ଟ କଲାଣି। ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି। ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ। ରାତିର ତାପମାତ୍ରା ପୂର୍ବଭଳି ରହିବ। ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ ସୂଚନା ମୁତାବକ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିବ। ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ୩ ତାରିଖରୁ ତାପମାତ୍ରା ୨ ଡିଗ୍ରି କମି ପରବର୍ତ୍ତୀ ୩ ଦିନ ଅପରିବର୍ତ୍ତିତ ରହିବ। ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ।

୩୦ ଓ ୩୧ ତାରିଖ‌ରେ ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଓ ଅବିଭକ୍ତ କୋରାପୁଟରେ ପାଗ ଆଂଶିକ ମେଘୁଆ ରହିବା ସହ ଗୋଟିଏ ଓ ଦୁଇଟି ସ୍ଥାନ‌ରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏଣୁ ମାଲକାନାଗିରି ‌ସମେତ ଦକ୍ଷିଣ ଓଡ଼ିଶାରେ ଏହି ଦୁଇ ଦିନ ଗରମ କିଛି ମାତ୍ରାରେ କମିବ ଓ ୧ରୁ ପୁଣି ବଢ଼ିବା ଆରମ୍ଭ କରିବ। ବଲାଙ୍ଗୀରଠାରୁ ଝାରସୁଗୁଡ଼ା ଓ ଅନୁଗୁଳ ସମେତ କେନ୍ଦ୍ରୀୟ ଓଡ଼ିଶାରେ ଗରମ ଲାଗି ରହିବ। ଅନୁଗୁଳ ଓ ଟିଟିଲାଗଡ଼ ସବୁଠାରୁ ଅଧିକ ଉତ୍ତପ୍ତ ସହର ହେବ। ୨ ତାରିଖ ଦିନ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଛୁଇଁପାରେ। କିନ୍ତୁ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରି ରହିବ। ୬ ତାରିଖ‌ ପରେ ଉପକୂଳ ଓ ତା’ର ସଲଂଗ୍ନ ଅଞ୍ଚଳରେ ପାଗର ପରିବର୍ତ୍ତନ ହେବା ସହ ସର୍ବାଧିକ ତାପମାତ୍ରା କମିବାର ସମ୍ଭାବନା ରହିଛି।

ତେବେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ‌ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ରର ଆକଳନ ଅନୁଯାୟୀ, ଏହି ସମୟରେ କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଅନ୍ୟ କିଛି ସ୍ଥାନରେ କୁଆପଥର ବର୍ଷା ବି ହୋଇପାରେ ବୋଲି ଆକଳନ କରାଯାଉଛି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୨୯ ତାରିଖରୁ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ମୟୂରଭଞ୍ଜ ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଉପକୂଳ ଓଡ଼ିଶା ସହ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ। ଏହାସହ କନ୍ଧମାଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲାର କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ। ସେହିପରି ୩୧ ତାରିଖରେ ରାୟଗଡ଼ା, ଗଜପତି, କୋରାପୁଟ, କେଉଁଝର ଓ ମୟୂରଭଞ୍ଜରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe