୨୦୨୦ ଗ୍ରୀଷ୍ମ ବି ଆଣିପାରେ ବଡ଼ ଧରଣର ବିପଦ, ୨୨ବର୍ଷରେ ଅଂଶୁଘାତ ନେଲାଣି ୩୨୭୨ ଜୀବନ

ରାଜ୍ୟରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ୩୮ ଡିଗ୍ରୀ ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର । 

କନକ ବ୍ୟୁରୋ : ବିଶ୍ବରେ ବିପର୍ଯ୍ୟୟ ଆଣିଥିବା କରୋନାକୁ ଓଡ଼ିଶାରେ ରୋକିବା ଲାଗି ରାଜ୍ୟ ସରକାର ଦିନରାତି ଏକ କରିଛନ୍ତି। ହେଲେ ଓଡ଼ିଶା ପ୍ରତିବର୍ଷ ଏଭଳି ବିପର୍ଯ୍ୟୟ ସାମ୍ନା କରୁଛି, ଯେଉଁଥିରେ ଅନେକ ଲୋକଙ୍କ ପ୍ରାଣହାନି ଘଟୁଛି। ଏଇ ଯେମିତି ଗ୍ରୀଷ୍ମ ପ୍ରବାହ ବଢିବାର ସଙ୍କେତ ମିଳିବା କ୍ଷଣି ଏବେ ରାଜ୍ୟରେ ଅଂଶୁଘାତର ଭୟ ସୃଷ୍ଟି ହେଲାଣି। ନିଜେ ଓସଡମା ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। କିନ୍ତୁ ପରିସଂଖ୍ୟାନ କହୁଛି, ସରକାରଙ୍କ ସବୁ ସତର୍କତା ସତ୍ତ୍ବେ ଗତ ୨୨ ବର୍ଷରେ ରାଜ୍ୟରେ ଅଂଶୁଘାତ ୩୨୭୨ଜଣଙ୍କର ଜୀବନ ନେଇଛି। ବେସରକାରୀ ସଂଖ୍ୟା ଏହାଠାରୁ ଅଧିକ ହୋଇପାରେ।

ଚଳିତ ବର୍ଷ ମୌସୁମୀ ନେଇ ପାଣିପାଗ ବିଭାଗ ଏଯାଏ ଆଗୁଆ ସୂଚନା ଦେଇନାହିଁ। କିନ୍ତୁ ଏବେଠାରୁ ବିଭିନ୍ନ ପାଣିପାଗ ବିଶେଷଜ୍ଞମାନେ ଯେଉଁ ଆକଳନ କରୁଛନ୍ତି, ସେଥିରେ ଗ୍ରୀଷ୍ମ ସ୍ଥିତି ସ୍ବାଭାବିକ ରହିବ। ଅର୍ଥାତ୍ ଲୋକେ ଗରମ ଅନୁଭବ କରିବେ। ପାଣିପାଗରେ ପରିବର୍ତନ କାରଣରୁ ଅସ୍ବାଭାବିକ ଭାବେ ତାତି ବଢିନପାରେ, ହେଲେ ବୃକ୍ଷ କାଟିବା ସହିତ ରାଜ୍ୟରେ ଯେଭଳି ଶିଳ୍ପାୟନ ଚାଲିଛି ଓ କଂକ୍ରିଟ୍ ଜଙ୍ଗଲ ସବୁଠାରେ ଗଢିଉଠିଲାଣି, ତାତି କିନ୍ତୁ ଢେର୍ ସମୟ ଯାଏ ରହିବ। ଏହା ଅଂଶୁଘାତ ଭୟକୁ ବଢାଇ ଦେଉଛି। ଏଭଳି ପରିସ୍ଥିତିକୁ ନଜରରେ ରଖି ସ୍ବତନ୍ତ୍ର ରିଲିଫ୍ କମିସନର ଯେଉଁ ଅଂଶୁଘାତ-୨୦୨୦ ଖସଡା ପ୍ରସ୍ତୁତ କରିଛନ୍ତି, ତାହାର ଅନୁପାଳନ ଲାଗି ଓସଡମା ଏବେଠାରୁ ତାଗିଦ୍ କରିଛି।

ପାଣିପାଗ ବିଭାଗର ଅବସରପ୍ରାପ୍ତ ଆଞ୍ଚଳିକ ନିର୍ଦେଶକ ଡ. ଶରତ ସାହୁଙ୍କ ଆକଳନ କହୁଛି, ଆସନ୍ତା ୧୦ ତାରିଖ ପରେ ତାପମାତ୍ରା ବଢିବ। ୧୫ ତାରିଖ ବେଳକୁ କିଛି ଅଞ୍ଚଳରେ ପାରଦ ୪୫ ଡିଗ୍ରି ଛୁଇଁଯିବା ବିଚିତ୍ର ନୁହେଁ। ଏଣୁ ତାତି ଅନୁଭବ ହେବ ଓ ଏକାଥରରେ ଯଦି ୪ରୁ ୫ ଡିଗ୍ରି ଯାଏ ପାରଦ ବଢେ, ତେବେ ଅଂଶୁଘାତ ଆଶଙ୍କାକୁ ଏଡାଇ ଦେଇ ହେବନାହିଁ । ଡ. ସାହୁଙ୍କ ହିସାବ କହୁଛି, ଯେତେ ବର୍ଷା ଉଠାଇଲେ ବି ଅନୁରୂପ ଭାବେ ବର୍ଷା ହେବ ନାହିଁ। ଏଣୁ ତାତିର ପ୍ରକୋପ ରହିବ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଟିକିଏ ଭିନ୍ନ ସୂଚନା ଦେଉଛି। ତାଙ୍କର ପୂର୍ବାନୁମାନ କହୁଛି, ଏବର୍ଷ ଗ୍ରୀଷ୍ମ ଋତୁ ସ୍ବାଭାବିକ ରହିବ। ଅର୍ଥାତ୍ ଅତି ଗ୍ରୀଷ୍ମ ପ୍ରବାହ ହୋଇ ସମସ୍ତଙ୍କୁ ଆତଙ୍କିତ କରିବାର ସୂଚନା ଆଦୌ ନାହିଁ। ତେବେ ୧୫ ତାରିଖ ପରଠାରୁ ତାପମାତ୍ରା ବୃଦ୍ଧିପାଇବ ଓ ସବୁ ବର୍ଷ ଭଳି ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରି ପର୍ଯ୍ୟନ୍ତ ପାରଦ ଉଠିଯାଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe