ଉତର ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ । ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସଂଭାବନା :୧୨ ଜିଲ୍ଲାକୁ ସତର୍କ ନିର୍ଦ୍ଦେଶ

1,586

କନକ ବ୍ୟୁରୋ : ଆଜି ଠାରୁ ଲଘୁଚାପ ପ୍ରଭାବରୁ ରାଜ୍ୟର ୧୨ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ଉତର ପୂର୍ବ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଲଘୁଚାପ ବଳୟ କାରଣରୁ ଏହି ବର୍ଷା ସଂଭାବନା ସୃଷ୍ଟି ହୋଇଛି । ଏହାର ପ୍ରଭାବରୁ ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ।

ବର୍ଷା ସଂଭାବନା ଅଧିକ ଥିବା ଜିଲ୍ଲା ଗୁଡିକ ହେଉଛି ସଂବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବଲାଙ୍ଗୀର, ସୋନପୁର ଏବଂ କେନ୍ଦୁଝର । ବିଶେଷ କରି ଅନୁଗୁଳ, ଦେବଗଡ ଏବଂ ସଂବଲପୁର ଜିଲ୍ଲା ପାଇଁ ଅଧିକ ବର୍ଷା ସଂଭାବନା ରହିଛି । ତେବେ ଅଧିକ ବର୍ଷା ସଂଭାବନା ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହି ୧୨ ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି ।