ବଦଳିବ ରାଜ୍ୟର ପାଣିପାଗ । ୧୧ ପର୍ଯ୍ୟନ୍ତ ଲାଗିରହିବ ବର୍ଷା

ରାଜ୍ୟରେ ଆସନ୍ତା ୪ ଦିନ ବର୍ଷା ! ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି

କନକ ବ୍ୟୁରୋ : ଆଜିଠାରୁ ୧୧ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ସମୁଦ୍ର ପତ୍ତନଠାରୁ ୧.୫ କିମି ଉଚ୍ଚତାରେ ରହିଥିବା ମୌସୁମୀ ଟ୍ରଫ୍‌ ଏବେ ଝାଡ଼ଖଣ୍ଡରୁ ଉତ୍ତର-ପୂର୍ବ ବଙ୍ଗୋ‌ପସାଗରମୁହାଁ ହୋଇଛି। ଏହା ସହ ଏକ ଟ୍ରଫ୍‌ଲାଇନ୍‌ ଗୁଜରାଟରୁ ପଶ୍ଚିମବଙ୍ଗ ଆଡ଼କୁ ଗତି କରୁଛି। ଏହା ପ୍ରଭାବରେ ଆସନ୍ତାକାଲି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ବର୍ଷାର ପରିମାଣ ବଢ଼ିବ। କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଂଜାମ, କଟକ, ଖୋ‌ର୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସବୁ ଜିଲ୍ଲାଗୁଡ଼ିକ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅପରପେକ୍ଷ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

‌‌‌ସେହିପରି ୯ ତାରିଖ ଦିନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ୯ ଓ ୧୦ ତାରିଖରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖ ଦିନ କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ବଲାଙ୍ଗୀର ଓ କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଥିସହ ନୂଆପଡ଼ା, ରାୟଗଡ଼ା, ଗଜପତି, ପୁରୀ, ବରଗଡ଼, ସୋନ୍‌ପୁର ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖ ପାଇଁ ମଧ୍ୟ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୧୦ ଓ ୧୧ ତାରିଖ ମଧ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe