ସାରା ରାଜ୍ୟରେ କୁହୁଡି କରୁଛି କଲବଲ । ୧୫ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ , ରାଜଧାନୀରେ ୧୦ ମିଟର ପରେ ଦେଖାଯାଉନି ରାସ୍ତା

125

କନକ ବ୍ୟୁରୋ : ମଧ୍ୟ ରାତ୍ରିରେ ମାଡି ଆସିଲା ଘନ କୁହୁଡି । ଘନ କୁହୁଡିର ଆସ୍ତରଣରେ ରାଜଧାନୀ । ଯୁଆଡେ ଚାହିଁଲେ କେବଳ କୁହୁଡି ହିଁ କୁହୁଡି । ରାସ୍ତାଘାଟ କିଛି ବି ଦୃଶ୍ୟମାନ ହେଉନି । ୧୦ ମିଟର ପରେ ରାସ୍ତା ଦେଖିବା କଷ୍ଟକର ହୋଇପଡୁଛି । ସ୍ଥାନେ ସ୍ଥାନେ ମୁହଁକୁ ମୁହଁ ବି ଚିହ୍ନି ହେଉନି । ଗୁରୁବାର ରାତି ସାଢେ ୧୧ଟାରୁ ଭୁବନେଶ୍ୱର ସମେତ ଆଖପାଖ ଅଂଚଳରେ ଏଭଳି ସ୍ଥିତି ଉପୁଜିଥିବାରୁ ଗାଡି ଚାଳକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ରାତି ୧୨ଟା ପରେ ରାସ୍ତାରେ କାଁ ଭାଁ ଗୋଟେ ଯୋଡେ ଗାଡି ଦେଖିବାକୁ ମିଳିଛି । ଗାଡି ଚାଳକମାନେ ଜାତୀୟ ରାଜପଥ -୧୬ର ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ରାତିରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଛାଡୁଥିବା ଦୂରଗାମୀ ବସଗୁଡିକ ମଧ୍ୟ ସମାନ ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି ।