ଏଥର ସ୍ୱାଭାବିକ ରହିବ ମୌସୁମୀ । ଖରିଫ ଚାଷ ପାଇଁ ଅନୁକୂଳ ହେବ ପାଗ, ନିର୍ଧାରିତ ସମୟରେ ଆସିପାରେ ମୌସୁମୀ ।

Advertisment
ଏଥର ସ୍ୱାଭାବିକ ରହିବ ମୌସୁମୀ । ଖରିଫ ଚାଷ ପାଇଁ ଅନୁକୂଳ ହେବ ପାଗ, ନିର୍ଧାରିତ ସମୟରେ ଆସିପାରେ ମୌସୁମୀ ।

odishatv.in

କନକ ବ୍ୟୁରୋ: ଏଥର ମୌସୁମୀ ସ୍ବାଭାବିକ ରହିବ। ଖରିଫ ଚାଷ ପାଇଁ ଏହା ଅନୁକୂଳ ହେବ। ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ହେବ। ଯାହାକି ଚାଷ ପାଇଁ ବେଶ୍ ସହାୟକ ହେବ।

ଭାରତୀୟ ପାଣିପାଗ ବିଭାଗର ପ୍ରାରମ୍ଭିକ ଆକଳନ ଅନୁଯାୟୀ ନିର୍ଧାରିତ ସମୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ମୌସୁମୀ ସମୟରେ ଦୀର୍ଘକାଳୀନ ହାରାହାରି(ଏଲପିଏ) ବର୍ଷା ୯୬ ପ୍ରତିଶତ ରହିବ। ଆହୁରି ବି ପୂର୍ବାନୁମାନ କରାଯାଇଛି ଯେ, ସାରା ଦେଶରେ ବିସ୍ତୀର୍ଣ୍ଣ ଭାବେ ମୌସୁମୀ ବର୍ଷା ହେବ। ଯାହାକି ଦେଶର ଚାଷୀଙ୍କ ଲାଗି ବେଶ ଉପଯୋଗୀ ରହିବ। ମୌସୁମୀ ବର୍ଷାର ପ୍ରଭାବ ସ୍ବାଭାବିକଠାରୁ ଅଧିକ ରହିବାର ସମ୍ଭାବନା ବହୁତ କମ୍ । ସ୍ବଳ୍ପ ବୃଷ୍ଟି(୯୦%ରୁ କମ୍) ହେବାର ୧୭ ପ୍ରତିଶତ ସମ୍ଭାବନା ଥିବା ବେଳେ ସ୍ବାଭାବିକଠାରୁ କମ୍ ବର୍ଷା( ୯୦ରୁ ୯୬% ମଧ୍ୟରେ) ହେବାର ୩୨ ପ୍ରତିଶତ ସମ୍ଭାବନା ରହିଛି। ତେବେ ସ୍ବାଭାବିକ୍ ବର୍ଷା(୯୬ରୁ ୧୦୪%) ହେବାର ସମ୍ଭାବନା ୩୯ ପ୍ରତିଶତ ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ବାଭାବିକଠାରୁ ଅଧିକ(୧୦୪ରୁ ୧୧୦%) ବର୍ଷା ହେବାର ସମ୍ଭାବନା ୧୦ ପ୍ରତିଶତ ଥିବା ବେଳେ ପ୍ରବଳ(୧୧୦ ପ୍ରତିଶତରୁ ଅଧିକ) ବର୍ଷା ହେବାର ସମ୍ଭାବନା ମାତ୍ର ଦୁଇ ପ୍ରତିଶତ ରହିଛି। ତେବେ ଓଡ଼ିଶା ଉପରେ ମୌସୁମୀ ବର୍ଷାର ପ୍ରଭାବ ସ୍ବାଭାବିକ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଚଳିତବର୍ଷ ମୌସୁମୀ ବର୍ଷା ସାରା ଦେଶରେ ସ୍ବାଭାବିକ ରହିବ। ଭାରତୀୟ ପାଣିପାଗ ବିଭାଗ ଆକଳନ ମୁଖ୍ୟତଃ ଦୁଇ ପ୍ରକାର ମଡେଲ ଉପରେ ଆଧାରିତ। ଗୋଟିଏ ହେଉଛି ୫ଟି ପାରାମିଟରରେ ଆଧାରିତ ଷ୍ଟାଟିଷ୍ଟିକାଲ ମଡେଲ। ସାଧାରଣ ଭାବେ ସ୍ବାଭାବିକ ବର୍ଷା(୯୬%ରୁ ୧୦୪%) ହେବା ପାଇଁ ଚଳିତବର୍ଷ ସମ୍ଭାବନା ୩୯ ପ୍ରତିଶତ ରହିଛି। ସେହିପରି ଅନ୍ୟଟି ଡାଇନାମିକ ମଡେଲ ମଧ୍ୟ କହୁଛି ଯେ, ଦୀର୍ଘ ଅବଧି ସ୍ବାଭାବିକ୍ ବର୍ଷାର ୯୪%(୫% ଏପାଖ ସେପାଖ) ରହିବ। ଏଥିସହ ଏଲନିନୋ ପ୍ରଭାବକୁ ମଧ୍ୟ ଆକଳନକୁ ନିଆଯାଇଛି।

ଜଣାପଡ଼ୁଛି ରାଜ୍ୟରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ମାର୍ଚ୍ଚ ମାସରେ ଏଲ୍ନିନୋ ୯୦% ଥିବା ବେଳେ କ୍ରମାଗତ ଭାବେ ତାହା ହ୍ରାସ ପାଇ ସେପ୍ଟେମ୍ବର ବେଳକୁ ୫୫ରୁ ୬୫% ଭିତରେ ରହିପାରେ। ଅର୍ଥାତ୍ ଏଲନିନୋ ଓଡ଼ିଶାରେ ଦୁର୍ବଳ ରହିବ। ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗରର ଜଳପତ୍ତନର ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଲେ ଏଲନିନୋ ପ୍ରଭାବ ପଡ଼ିଥାଏ। ଏହା ମୌସୁମୀ ସମୟରେ ୦.୫ରୁ ୦.୭ ଡିଗ୍ରି ସେଲସିୟସ୍ ଅଧିକ ରହିଲେ ବି ଏହାର ମୌସୁମୀ ବର୍ଷା ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା କମ୍।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା ହେଉଛି, ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଏଲନିନୋ ପ୍ରଭାବ କମ୍ ରହିବ। ତେଣୁ ଓଡ଼ିଶାରେ ସ୍ବାଭାବିକ ବର୍ଷା ହୋଇପାରେ। କେବେ ମୌସୁମୀ ଓଡ଼ିଶାରେ ପହଞ୍ଚିବ ତାହା ଏବେଠାରୁ କହିବା ମୁସ୍କିଲ୍। ତେବେ ବର୍ତମାନ ଗରମ ରହୁଥିବାରୁ ନିର୍ଧାରିତ ସମୟରେ ମୌସୁମୀ ଆସିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe