କନକ ବ୍ୟୁରୋ : ରେକର୍ଡ ଭାଙ୍ଗିଲା ମାର୍ଚ୍ଚ ମାସର ତାତି । ଚଳିତ ବର୍ଷ ମାର୍ଚ୍ଚରେ ତାପମାତ୍ରା ୧୨୨ ବର୍ଷର ରେକର୍ଡ ଭାଙ୍ଗି ଉତପ୍ତ ମାସ ହୋଇଛି । ଦେଶର ଦ୍ୱିତୀୟ ଉତପ୍ତ ସହର ପାଲଟିଛି ଟିଟିଲାଗଡ଼ । ମହାରାଷ୍ଟ୍ର ଚନ୍ଦ୍ରପୁର ଦେଶର ସବୁଠୁ ଉତପ୍ତ ସହର ହୋଇଥିଲା । ଏଥି ସହ ବିଶ୍ୱସ୍ତରରେ ଟିଟିଲାଗଡ଼ ଥିଲା ନବମ ଉତପ୍ତ ସହର । ଲଗାତର ଦୁଇ ଦିନ ଧରି ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଶୁକ୍ରବାର ଟିଟିଲାଗଡ଼ର ତାପାମତ୍ରା ୪୩ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଗତ ୨୪ ଘଂଟାରେ ବଲାଙ୍ଗୀର ସହରର ତାପମାତ୍ରା ୪୨ ଦଶମିକ ୨ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୪୧ ଦଶମିକ ୬, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୧ ଦଶମିକ ୫ ଡିଗ୍ରୀ ରହିଥିଲା । ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।
ଏପଟେ ଆଜିଠାରୁ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୬ ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୪ ଘଂଟା ମଧ୍ୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।