ଘନୀଭୂତ ହେବାରେ ବିଳମ୍ବ କରୁଛି ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଆସନ୍ତା ଚାରି ପାଂଚ ଦିନ ମଧ୍ୟରେ ହୋଇପାରେ ଅଧିକ ଘନୀଭୂତ

770
କନକ ବ୍ୟୁରୋ : ଘନୀଭୂତ ହେବାରେ ବିଳମ୍ବ କରୁଛି ଆଣ୍ଡାମାନସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପାଣିପାଗ ବିଭାଗର ସୂଚନା ଅନୁସାରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବାକୁ ଆହୁରି ୩୬ ଘଂଟା ଲାଗିପାରେ । ପୂର୍ବରୁ ୧୦ ତାରିଖ ଅର୍ଥାତ୍ ଆଜି ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆକଳନ କରାଯାଇଥିଲା । ତେବେ ଏଥିରେ କାହିଁକି ହେଉଛି ବିଳମ୍ବ । ତାର ସମ୍ଭାବ୍ୟ କାରଣ ସଂପର୍କରେ ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ଅନୁମାନ କରାଯାଉଛି, ଉତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଉପରେ ଅନୁଭୂତ ହେଉଛି ଫୁଜିୱାରା ଇଫେକ୍ଟ । ପାଣିପାଗ ବିଜ୍ଞାନରେ ଏହା ଏକ ଜାପାନୀ ଶବ୍ଦ । ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ହୋଇଥିବାରୁ ଏହାର ପ୍ରଭାବ ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଉପରେ ପଡୁଛି । ଫଳରେ ଏହା ସମୁଦ୍ର ପତନଠାରୁ ମାତ୍ର ୫.୮ କିଲୋମିଟର ଉପରେ ରହି ଆଉ ଉପରକୁ ଉଠିପାରୁନାହିଁ ।
ଫୁଜିୱାରା ଇଫେକ୍ଟ କ’ଣ?
– ସମୁଦ୍ର ଭିତରେ ଦୁଇଟି ଘୂର୍ଣ୍ଣିବଳୟ ଥିଲେ ଏବଂ ଗୋଟିଏ ଶକ୍ତିଶାଳୀ ହୋଇଥିଲେ ଅନ୍ୟଟିକୁ ଅଧିକ ଦୁର୍ବଳ କରିଦିଏ
– ଦୁଇଟି ଘୂର୍ଣ୍ଣିବଳୟ ମଧ୍ୟରେ ଦୂରତା ୧୫ ଶହ କିଲୋମିଟରରୁ କମ୍ ରହିଲେ, ଦୁର୍ବଳ ଘୂର୍ଣ୍ଣିବଳୟଟି ଶକ୍ତିଶାଳୀ ଘୂର୍ଣ୍ଣିବଳୟ ସହ ମିଶିଯିବାର ସମ୍ଭାବନା ଅଧିକ
– ଦକ୍ଷିଣ ଚୀନ୍ ସାଗରରେ ଥିବା ଘୂର୍ଣ୍ଣିବଳୟ ଓ ଦକ୍ଷିଣ ଆଣ୍ଡାମାନ ସାଗରରେ ଥିବା ଘୂର୍ଣ୍ଣିବଳୟ ମଧ୍ୟରେ ୧୧ ଶହ କିଲୋମିଟରର ଦୂରତା ରହିଛି
– କମ୍ ଦୂରତା ଯୋଗୁ ଦକ୍ଷିଣ ଚୀନ୍ ସାଗରରେ ଥିବା ଘୂର୍ଣ୍ଣିବଳୟ ଅଧିକ ଜଳୀୟ ବାଷ୍ପ ଟାଣି ବଳ ଗୋଟାଇବା ସହ ଶକ୍ତିଶାଳୀ ହେବାରେ ଲାଗିଛି