ଏଥର ଓଡ଼ିଶାରେ ସ୍ବାଭାବିକ ରହିବ ମୌସୁମୀ : କିନ୍ତୁ ସାମାନ୍ୟ ବିଳମ୍ବରେ ଆସିବ

340

କନକ ବ୍ୟୁରୋ:  ଚଳିତବର୍ଷ ସ୍ବାଭାବିକ ରହିବ ମୌସୁମୀ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶକ ମୃତ୍ୟଞ୍ଜୟ ମହାପାତ୍ର ମୌସୁମୀ ସଂପର୍କିତ ପ୍ରଥମ ପୂର୍ବାନୁମାନ କରି କହିଛନ୍ତି ଯେ ଏବର୍ଷ ବର୍ଷାର ପରିମାଣ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ରହିପାରେ। ତେବେ ଚଳିତବର୍ଷ ଓଡ଼ିଶାକୁ ବିଳମ୍ବରେ ମୌସୁମୀ ଛୁଇଁବା ସମ୍ଭାବନା ଅଧିକ। ଯଦିଓ ନିର୍ଧାରିତ ସମୟରେ ଅର୍ଥାତ୍ ଜୁନ୍ ପହିଲାରେ ମୌସୁମୀ କେରଳ ଛୁଇଁବ, ତଥାପି ଓଡ଼ିଶା ଛୁଇଁବା ବେଳକୁ ଜୁନ୍ ୧୩ ତାରିଖ ହୋଇଯାଇଥିବ। ସାଧାରଣତଃ ଜୁନ୍ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶାରେ ପହଞ୍ଚିବା କଥା। ହେଲେ ଗତ କିଛି ବର୍ଷ ଧରି ମୌସୁମୀ ବିଳମ୍ବରେ ଓଡ଼ିଶାରେ ପହଞ୍ଚୁଛିବା ଲକ୍ଷ୍ୟ କରାଯାଉଛି।

ଏଭଳି ପରିସ୍ଥିତିରେ ଶ୍ରୀ ମହାପାତ୍ରଙ୍କର ଚଳିତବର୍ଷ ପାଇଁ ଆକଳନ ଓଡ଼ିଶାର ସବୁ ଚାଷୀଙ୍କୁ ଆଶ୍ବସ୍ତ କରିଛି। କରୋନା ମାଡ଼ରେ ଚାଷୀ ଆକ୍ତାମାକ୍ତ ହୋଇଯାଇଥିବା ବେଳେ ଆସନ୍ତାବର୍ଷ ଅନ୍ତତଃ ବର୍ଷା ସମସ୍ୟା ରହିବନି, ଏଭଳି ଆଶା ସଞ୍ଚାର ହୋଇଛି ଚାଷୀ ମନରେ। ଆଇଏମ୍‌ଡି ପୂର୍ବାନୁମାନ ପରେ ଡ. ପଶୁପାଳକ କହିଛନ୍ତି ଯେ ଚଳିତବର୍ଷ ଏଲ୍‌ନିନୋ ପ୍ରଭାବ ସେପ୍ଟେମ୍ବର ବେଳକୁ ୨୦%କୁ ଖସିଯାଇପାରେ। ମାର୍ଚ୍ଚ ମାସ ବେଳକୁ ଏହା ୩୯% ଥିଲା। ସେହିପରି ଲାନିଲା ୨%ରୁ ବଢି ୩୫%କୁ ଛୁଇଁପାରେ। ଏହାପ୍ରଭାବରେ ଓଡ଼ିଶାରେ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି। ଜୁନରେ ମାତ୍ରାଧିକ ବର୍ଷା ନ ହେଲେ ବି ତଳି ରୋଇବା ଭଳି ଧାନ ଚାଷର ପ୍ରାଥମିକ କାର୍ଯ୍ୟ ଲାଗି ଯଥେଷ୍ଟ ପରିମାଣର ବର୍ଷା ହେବ।

କଲମ୍ବିଆ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ଆନ୍ତର୍ଜାତିକ ଗବେଷଣା କେନ୍ଦ୍ରର ପୂର୍ବାନୁମାନ ପାଣିପାଗ କ୍ଷେତ୍ରରେ ଏକ ବଡ଼ ସଂଶୟ ସୃଷ୍ଟି କଲାଣି। ଏହି ସଂସ୍ଥା ସାରା ବିଶ୍ବର ପାଣିପାଗ ସ୍ଥିତି ସଂପର୍କରେ ବିଶଦ ଅନୁଧ୍ୟାନ କରିଥାଏ। ଏହି ରିପୋର୍ଟକୁ ଆଧାର କରି ଡ.ପଶୁପାଳକ କହିଛନ୍ତି ଯେ ଆଇଏମଡ଼ି ଯେଉଁ ପୂର୍ବାନୁମାନ କରିଥିଲା ବା ପୂର୍ବରୁ ଯେତେସବୁ ଆକଳନ ହୋଇଛି, ସେଥିରେ ଇଣ୍ଡିଆନ୍ ଓସେନ୍ ଡାଇପଲ୍‌ ସିଷ୍ଟମ ସକାରାତ୍ମକ ଥିବା ଦର୍ଶାଯାଇଥିଲା। ହେଲେ ସନ୍ଧ୍ୟାର ରିପୋର୍ଟ କିନ୍ତୁ କହୁଛି ଯେ ଏହା ନେଗେଟିଭ୍ ରହିବ। ଅର୍ଥାତ୍ ଏହାର ଏକ ବଡ଼ ପ୍ରଭାବ ଭାରତର ପାଣିପାଗ ଉପରେ ପଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଓଡ଼ିଶା କ୍ଷେତ୍ରରେ ଏହାର ପ୍ରଭାବ ଆକଳନ କରି ଡ. ପଶୁପାଳକ କହିଛନ୍ତି ଯେ ଯଦି ଏମିତି ହୁଏ, ତେବେ ଜୁଲାଇ ଓ ଅଗଷ୍ଟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ କମିବା ସମ୍ଭାବନା ରହିଛି। ଆଗକୁ ଆଇଏମଡି ଦ୍ବିତୀୟ ପର୍ଯ୍ୟାୟ ଆକଳନ କରିବା ବେଳେ ଏ ସଂକ୍ରାନ୍ତରେ ବିଶଦ ଚିତ୍ର ସାମ୍ନାକୁ ଆସିବ ବୋଲି ଡ. ପଶୁପାଳକ କହିଛନ୍ତି।