କନକ ବ୍ୟୁରୋ: ସମୁଦ୍ର ଭିତରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇ ସାରିଛି । ଆଜି ଏହା ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେବେ ବାତ୍ୟା ଆଶଙ୍କା ନାହିଁ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।
ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ସକାଳେ ଅବପାତ ରୂପ ନେଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇପାରେ। ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରଦୀପ ଜେନା କହିଛନ୍ତି ଯେ ଏହା ଉତ୍ତର-ଉତ୍ତର ଦିଗକୁ ଗତି କରି ୨୩ ତାରିଖ ଅପରାହ୍ନରେ ଗଭୀର ଅବପାତ ରୂପରେ ପଶ୍ଚିମବଙ୍ଗର ସାଗରଦୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟ ଦେଇ ସ୍ଥଳ ଭାଗ ଅତିକ୍ରମ କରିବ। ଏହାର ପ୍ରଭାବରେ ଆଜି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳର ୪ ଜିଲ୍ଲାରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହିବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ।
ପବନର ବେଗ ସ୍ଥଳ ବିଶେଷରେ ସର୍ବାଧିକ ୫୦ କିମି ବି ହୋଇପାରେ। ଏହି ଗଭୀର ଅବପାତ ପ୍ରଭାବରେ ପୁରୀ ଜିଲ୍ଲାର କିଛି କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ସେହିଭଳି ୨୩ରୁ ୨୪ ତାରିଖ ମଧ୍ୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/19-26.jpg)